ମାଲକାନଗିରି,୨୪ା୩(ଡି.ଏନ୍.ଏ.): ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ ଠାବ କରାଯାଇଛି। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଏମ୍ଭି ୭ ଗ୍ରାମ ନିକଟ ମୁଖ୍ୟ ରାସ୍ତାକଡ଼ ଏକ ଜଙ୍ଗଲ ଭିତରେ।
ସୂଚନାନୁଯାୟୀ ମୃତ ଝିଅ ନନ୍ଦେ ମାଡକାମୀ ଓ ପୁଅ ନବୀନ ମାଡକାମୀ ତମସା ପଞ୍ଚାୟତ ଆରୋ କଲୋନୀ ନିବାସୀ ଅଟନ୍ତି। ଗ୍ରାମବାସୀ କୁହନ୍ତି, ମୃତ ଝିଅ ଓ ପୁଅ ଆଗରୁ ପରସ୍ପରକୁ ଭଲ ପାଇ ଆସୁଥିଲେ। ଦୁହେଁ ଆଦିବାସୀ ଜାତିର ହୋଇଥିବାରୁ କୌଣସି କାରଣବଶତଃ ସେମାନଙ୍କ ପ୍ରେମକୁ ଘରେ ସ୍ବୀକାର କରି ନ ଥିଲେ। ଝିଅଟିର ଗତ ବୁଧବାର ବିବାହ ଠିକ୍ କରାଯାଇଥିଲା। କିନ୍ତୁ ଗତ ମଙ୍ଗଳବାର ଝିଅ ଓ ପୁଅ ନିଖୋଜ ଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିଥିଲେ କିନ୍ତୁ ସେମାନଙ୍କ କୌଣସି ଖବର ମିଳି ନ ଥିଲା।
ଶୁକ୍ରବାର କିଛି ଲୋକ ଏମ୍ଭି ୭ ମୁଖ୍ୟ ରାସ୍ତାକଡ଼ ଜଙ୍ଗଲରେ ଦୁହିଁଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ସେଠାରେ ନିଜ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନିଥିଲେ। ଅପରପକ୍ଷେ ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି ଏସ୍ଡିପିଓ ସଚିନ ପଟେଲ ଓ ଥାନାଧିକାରୀ ରିଙ୍ଗାନ କିଣ୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଝିଅ-ପୁଅଙ୍କ ନିକଟରେ ଦୁଇଟି ଗ୍ଲାସ ଥିବାରୁ ବିଷ ପିଇ ମୃତ୍ୟବରଣ କରୁଥିବା ଅନୁମାନ କରାଯାଉଛି।