ବସ୍ତାରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ୪ ଅଟକ

ଟିକିରି,୮ା୧୦(ଡି.ଏନ୍‌.ଏ): ରାୟଗଡ଼ା ଜିଲା କାଶିପୁର ବ୍ଲକ ପୋଡ଼ାପାଡି ପଞ୍ଚାୟତ ବନ୍ଧପଦର ଗ୍ରାମରୁ ଏକ ବସ୍ତାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଉକ୍ତ ଗାଁର ପହିଲି ମାଝି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପହିଲି ମାଝି ୪ ଦିନ ହେଲା ନିଖୋଜ ଥିଲେ। ବୁଧବାର ଦଶହରା ଦିନରୁ ସେ କେଉଁ ଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ଗୋଟିଏ ଦିନ ଖୋଜାଖୋଜି କରି ନ ପାଇବାରୁ ଟିକିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ହେଲେ ଶନିବାର ପୋଖରୀରେ ଏକ ବସ୍ତାରେ କିଛି ଭାସୁଥିବାର ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସ୍ତାକୁ କାଢ଼ିବା ପରେ ସେଥିରେ ଏକ ମୃତଦେହ ଥିବା ଦେଖିବାକୁ ପାଇଥିଲେ। ଏହପରେ ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ସମ୍ପର୍କରେ ଟିକିରି ଥାନା ଅଧିକାରୀଙ୍କୁ ପଚାରିବାରୁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି କହିଛନ୍ତି। ଏପରିକି ପୋଲିସ ୪ଜଣଙ୍କୁ ଅଟକ ରଖି ଏହି ମାମଲାର ପଚରାଉଚରା କରୁଛି।

Share