Categories: ଜାତୀୟ

ସରକାରୀ ମେଡିକାଲରେ ବିଛାଡ଼ି ହୋଇ ପଡ଼ିଛି ମୃତଦେହ

ଭୋପାଳ, ୧୨ା୪- ମେଡିକାଲରେ ଏଣେତେଣ ପଡ଼ି ରହିଛି ମୃତଦେହ। କେବଳ ଚଟାଣାରେ କିମ୍ବା ବାହାରେ ନୁହେଁ, ମେଡିକାଲ ପରିସରରେ ଯେଉଁଠାରେ ଫାଙ୍କା ଯାଗ ମିଳିଲା ସେଠାରେ ରଖାଯାଇଛି କୋଭିଡ୍‌ କାରଣରୁ ଘଟିଥିବା ଲୋକଙ୍କ ମୃତୁଦେହ। ଛତିଶଗଡ଼ ରାଜଧାନୀ ରାୟପୁରର ସବୁଠୁ ବଡ଼ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ନିୟମ ଅନୁସାରେ, ମୃତଦେହକୁ ଅନ୍ତିମ ସଂସ୍କାର ପୂର୍ବରୁ ଫ୍ରିଜରରେ ରଖାଯିବା କଥା। କିନ୍ତୁ ଡ. ଭିମ ରାଓ ଆମ୍ବେଡକର ମେମୋରିଆଲ ହସ୍ପିଟାଲରେ ମୃତଦେହ ରଖିବା ପାଇଁ ଆଉ ଯାଗା ନାହିଁ। ଏଣୁ ମେଡିକାଲ ପରିସରରେ ଫାଙ୍କା ଥିବା ଯେକୌଣସି ସ୍ଥାନରେ ରଖାଯାଉଛି ମୃତଦେହ। ହସ୍ପିଟାଲ କର୍ତ୍ତୁପକ୍ଷ ନିଜ ଅକ୍ଷମତା ପ୍ରକାଶ କରିସାରିଛନ୍ତି। ମର୍ଚରିରେ ରଖାଯାଇଥିବା ମୃତଦେହର ଅନ୍ତିମ ସଂସ୍କାର କରାଯିବା ପୂର୍ବରୁ ଗଦା ହୋଇଯାଉଛି ମୃତଦେହ। ହସ୍ପିଟାଲର ଆଇସିୟୁ ଓ ଓକ୍ସିଜେନ ଥିବା ବେଡ୍‌ ଗତ କିଛି ସପ୍ତାହ ହେଲା ଶତ ପ୍ରତିଶତ ଫୁଲ ରହିଛି।

କେହି ଚିନ୍ତା କରି ନ ଥିଲେ, ଏତେ ସଂଖ୍ୟାରେ ଏକାଥରକେ ମୃତ୍ୟୁ ଘଟିବ। ସାଧାରଣ ସଂଖ୍ୟକ ମୃତ୍ୟୁ ପାଇଁ ଆମ ପାଖରେ ଫ୍ରିଜର୍ସ ଅଛି। ଜଣେ ଦୁଇ ଜଣଙ୍କ ମୃତୁଦେହ ପାଇଁ ଆମେ ପ୍ରସ୍ତୁତ ହେଲାବେଳେ ଏକାଥରକେ ୧୦ରୁ ୨୦ ଜଣଙ୍କ ମୃତ୍ୟୁ ହୋଉଛି। ଏକା ସମୟରେ ଆମେ କେଉଁ ଭଳି ଏତେ ସଂଖ୍ୟାରେ ଫ୍ରିଜର୍ସ ଯୋଗାଡ଼ କରିପାରିବୁ? ବୋଲି ପ୍ରଶ୍ନ କରିଛନ୍ତି ରାୟପୁର ମେଡିକାଲ ମୁଖ୍ୟ ଓ ସ୍ବାସ୍ଥ୍ୟ ଅଫିସର ମିରା ବାଘେଲ।

Share