ରାଜନୈତିକ ଦଳଗୁଡ଼ିକ ଯେଉଁଭଳି ଟିକସଦାତାଙ୍କଠାରୁ ସଂଗ୍ରହ କରାଯାଉଥିବା ସରକାରୀ ଅର୍ଥକୁ ବ୍ୟବହାର କରି ଜନସାଧାରଣଙ୍କୁ ମାଗଣାରେ ସାମଗ୍ରୀ ଓ ସୁବିଧା (ଫ୍ରିବିଜ୍) ଯୋଗାଇଦେବାର ପ୍ରତିଶ୍ରୁତି ଦେଉଛନ୍ତି, ତାହା ବିଧିବଦ୍ଧ ଭାବେ ବନ୍ଦ କରାଯିବା ଦରକାର ବୋଲି ଆଡ୍ଭୋକେଟ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ୍କୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତ ୨୫ ଜାନୁୟାରୀରେ ଏହାର ଶୁଣାଣି କରି ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଦିଆଯାଉଥିବା ପ୍ରତିଶ୍ରୁତି ଉପରେ ରୋକୋ ଲଗାଇବା ସକାଶେ କେନ୍ଦ୍ର ସରକାର ଓ ଭାରତର ନିର୍ବାଚନ କମିଶନକୁ ନୋଟିସ୍ ଜାରି କରିଛନ୍ତି। ଏଭଳି କାର୍ଯ୍ୟକୁ ବନ୍ଦ କରିବା ଲାଗି କି ପ୍ରକାର ପଦକ୍ଷେପ ନିଆଯାଇପାରିବ ବୋଲି ଚିନ୍ତା କରୁଛନ୍ତି, ସେହି ବିଷୟରେ ୪ ସପ୍ତାହରେ ଜବାବ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଜନସ୍ବାର୍ଥ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଏକତରଫା ବ୍ୟସ୍ତତା ବୁଝିହେଉଛି। ମନେରଖିବାକୁ ହେବ ଯେ, ଏହାଦ୍ୱାରା ଉଖୁରା ଯାଉଥିବା ବିଷୟ ହଠାତ୍ କାହିଁକି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ନିର୍ବାଚନ ପୂର୍ବରୁ କରାଯାଉଛି, ତାହା ମଧ୍ୟ ବୁଝିବା କଷ୍ଟକର ନୁହେଁ । ଏହା ସତ୍ୟ ଯେ ବିଭିନ୍ନ ଦଳ ନିଜ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। କିଏ ଧର୍ମ ସପକ୍ଷରେ କହି ଏକ ଗୋଷ୍ଠୀକୁ ମାରିବା ପାଇଁ ଉତ୍ସାହିତ କରୁଥିବା ବେଳେ ଅନ୍ୟ କେହି ସରକାରୀ ରାଜକୋଷକୁ ଖାଲିକରି ଜନସାଧାରଣଙ୍କୁ ମାଗଣା ସାମଗ୍ରୀ ଓ ସୁବିଧା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଉଛି। ଦେଖିବାକୁ ଗଲେ ଉଭୟ ନିଶ୍ଚିତଭାବେ ମାରାତ୍ମକ। ଦୁଃଖର ବିଷୟ କୌଣସି ରାଜନୈତିକ ଦଳ କ୍ଷମତାକୁ ଆସିଲେ ଜନସାଧାରଣଙ୍କୁ ସୁଶାସନ, ଉତ୍ତମ ପୋଲିସ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ଗୁଣାତ୍ମକ ଶିକ୍ଷା, ଉପଯୁକ୍ତ ସ୍ବାସ୍ଥ୍ୟସେବା, ଭଲ ଭିତ୍ତିଭୂମି, ବିନାମୂଲ୍ୟରେ ଆଇନ ସହାୟତା ଆଦି ଯୋଗାଇଦେବା ବିଷୟରେ ଘୋଷଣା କରୁନାହାନ୍ତି। ଏକ ଜନମଙ୍ଗଳ ରାଷ୍ଟ୍ରରେ ଗଣମାନଙ୍କ କଲ୍ୟାଣ ହେବା କଥା ସରକାରଙ୍କ ମୂଳ ଲକ୍ଷ୍ୟ।
ଅନ୍ୟପକ୍ଷରେ ହାସ୍ୟାସ୍ପଦ ବିଷୟ ହେଉଛି ଯେ, ଦେଶର ଗରିବ ନାଗରିକଙ୍କ ପାଖରେ ସୁବିଧା ପହଞ୍ଚତ୍ଲା ବେଳକୁ ଅନେକଙ୍କ ଦେହ ସହୁନାହିଁ। କିନ୍ତୁ ଅନେକ ଲକ୍ଷ କୋଟି ଟଙ୍କା ଛାଡ଼ କରିଦିଆଯାଇ ହାତଗଣତି ପ୍ରିୟ କମ୍ପାନୀଗୁଡ଼ିକୁ ବଞ୍ଚାଇବା ଲାଗି ହେଉଥିବା ଉଦ୍ୟମରେ କେହି ବିଚଳିତ ହେଉନାହାନ୍ତି। ସେହିପରି ବହୁ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକାନା ଥିବା ସରକାରୀ ଉଡ଼ାଜାହାଜ କମ୍ପାନୀକୁ ଅଳ୍ପ ଅର୍ଥରେ ବିକିଦେବା ବେଳେ ସରକାରଙ୍କୁ କେହି ପ୍ରଶ୍ନ କରିବାର ସତ୍ସାହସ କରୁନାହାନ୍ତି। ଅପରପଟରେ ତେଲିଆଙ୍କ ମୁଣ୍ଡରୁ ତେଲ ବୋହୁଥିଲେ ମଧ୍ୟ କାହାର ନଜର ପଡୁନାହିଁ। ଏମାନଙ୍କ ପାଇଁ ନୁଖୁରା ମୁଣ୍ଡ ସବୁବେଳେ ନୁଖୁରା ରହିଲେ ଶାସନ ସୁରୁଖୁରୁରେ ଚାଲିବ।