Advertisement

ଆଜବେଷ୍ଟସ୍‌ କିଣିବାକୁ ଯାଇଥିଲେ, ମିଳିଲା ମୃତଦେହ

ବାରିପଦା ଅଫିସ,୧୫ା୪: ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଝାଡ଼ବେଡ଼ା ଘାଗରାନାଳ ବନ୍ଧରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ଗେନ୍ତେଇସାହିର ଧନେଶ୍ୱର ଗୁୟିଆ। ଏହି ସଂକ୍ରାନ୍ତରେ ମୃତକଙ୍କ ସ୍ତ୍ରୀ ସୁବୁନୀ ଗୁୟିଆ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା(ନଂ.୮୭/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ଗତ ୪ତାରିଖରେ ଧନେଶ୍ୱର ଘରୁ ୩୦ ହଜାର ଟଙ୍କା ଧରି ଆଜବେଷ୍ଟସ୍‌ କିଣିବାକୁ ସାଙ୍ଗ ପୀତାମ୍ବର ବେହେରାଙ୍କ ସହିତ ନିକଟସ୍ଥ ଭଞ୍ଜକିଆ ବଜାରକୁ ଯାଇଥିଲେ। ହେଲେ ଧନେଶ୍ୱର ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ଥିଲେ। ହେଲେ ପାଇ ନ ଥିଲେ। ଥାନାରେ ଏକ ନିଖୋଜ ଅଭିଯୋଗ ହୋଇଥିଲା। ତେବେ ଘଟଣାର ୧୦ଦିନ ପରେ ଗୁରୁବାର ଘାଗରାନାଳ ବନ୍ଧରେ ମାଛ ଧରୁଥିବା କିଛି ଲୋକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପରିବାର ଲୋକେ ଧନେଶ୍ୱରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଧନେଶ୍ୱରଙ୍କ ୪ ସନ୍ତାନ ଥିବା ଜଣାପଡ଼ିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share