ରାୟଗଡ଼ା ଅଫିସ,୨୮।୧୨: ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରେମ ବ୍ୟାପାରରୁ ଉଭୟେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ ସନ୍ଦେହ କରୁଛି। ମୃତ ଯୁବକଙ୍କ ନାମ ରାହୁଲ କୌଶଲ୍ୟା (୨୬)।
ସୂଚନାନୁଯାୟୀ, ନାବାଳିକା ଜଣକ ଟ୍ୟୁଶନ ଯିବାକୁ କହି ମଙ୍ଗଳବାର ଘରୁ ବାହାରିଥିଲେ। ଟ୍ୟୁଶନ ସାରି ଘରକୁ ନ ଫେରିବାରୁ ପରିବାର ଲୋକେ ଟ୍ୟୁଶନ ସାର୍ଙ୍କୁ ଯୋଗାଯୋଗ କରିଥିଲେ। ନାବାଳିକା ଜଣକ ଟ୍ୟୁଶନ ଆସି ନ ଥିବା ତାଙ୍କ ଶିକ୍ଷକ କହିଥିଲେ। ରାହୁଲଙ୍କ ଘରୁ ଉଭୟଙ୍କ ଝୁଲନ୍ତା ମୃତଦେହ ମିଳିବା କଥା ତାଙ୍କ ପଡ଼ୋଶୀମାନେ ନାବାଳିକାଙ୍କ ଘର ଲୋକ ଓ ପୋଲିସକୁ ଜଣାଇଥିଲେ। ପୋଲିସ ମୃତଦେହ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁଯାୟୀ, ସ୍ବାମୀଙ୍କର ଅନ୍ୟତ୍ର ପ୍ରେମ ସମ୍ପର୍କ ଥିବା ରାହୁଲଙ୍କ ସ୍ତ୍ରୀ ସନ୍ଦେହ କରି ୩ମାସ ହେବ ଘର ଛାଡ଼ି ବାପଘରେ ରହୁଛନ୍ତି।