ଆମେରିକାରେ ଭାରତୀୟ ଦମ୍ପତିଙ୍କ ମୃତଦେହ ଜବତ

ନ୍ୟୁଜର୍ସି /ମୁମ୍ବାଇ,୧୦ା୪: ଆମେରିକାର ନ୍ୟୁଜର୍ସି ସ୍ଥିତ ନର୍ଥ ଅର୍ଲିଂଟନର ଏକ ଆପାର୍ଟମେଣ୍ଟ ବାଲକୋନିରେ ଜଣେ ୪ ବର୍ଷର ଝିଅ କାନ୍ଦୁଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଖବର ପାଇ ପୋଲିସ ଆସି ଦେଖିବାବେଳକୁ ଘରେ ପଡ଼ିଥିଲା ଭାରତୀୟ ଦମ୍ପତିଙ୍କ ମୃତଦେହ। ମୃତକ ଦ୍ୱୟ ହେଲେ ବାଲାଜୀ ଭରତ ରୁଦ୍ରଓ୍ବାର(୩୨) ଓ ତାଙ୍କ ସ୍ତ୍ରୀ ଆରତୀ ବାଲାଜୀ ରୁଦ୍ରଓ୍ବାର(୩୦)।
ମହାରାଷ୍ଟ୍ରର ବିଦ୍‌ ଜିଲା ଅମ୍ବାଯୋଗାଇ ବାସିନ୍ଦା ଆଇଟି ପ୍ରଫେସନାଲ ବାଲାଜୀ ୨୦୧୫ ଅଗଷ୍ଟରେ ସ୍ତ୍ରୀଙ୍କ ସହ ଆମେରିକା ଯାଇଥିଲେ। ସେଠାରେ ବାଲାଜୀ ଏକ ବଡ଼ ଭାରତୀୟ ଇନ୍‌ଫୋଟେକ୍‌ କମ୍ପାନୀରେ କାମ କରୁଥିଲେ। ଏହି ଦମ୍ପତି ୨୧ ଗାର୍ଡେନ ଟେରାସ୍‌ ଆପାର୍ଟମେଣ୍ଟରେ ରହୁଥିଲେ। ବାଲାଜୀ ତାଙ୍କ ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ଆମତ୍ହତ୍ୟା କରିଥିବା କେତେକ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଉଭୟଙ୍କ ମୃତଦେହ ପୋଲିସ ଜବତ କରି ଗୁରୁବାର ବ୍ୟବଚ୍ଛେଦ ପାଇଁ ପଠାଇଛି।
ବାପା ଭରତ ରୁଦ୍ରଓ୍ବାର କହିଛନ୍ତି, ନାତୁଣୀ ବାଲ୍‌କୋନିରେ କାନ୍ଦୁଥିବା ଦେଖି କ’ଣ ଘଟିଲା ବୋଲି ରୁମ୍‌ ଭିତରକୁ ଯିବା ପରେ ଏସବୁ ଦେଖିବାକୁ ମିଳିଥିଲା। ମୋ ବୋହୂ ୭ ମାସର ଗର୍ଭବତୀ ଥିଲେ। ଆମେ ନିକଟରେ ସେମାନଙ୍କ ଘରକୁ ଯାଇଥିଲୁ ଓ ଆଗକୁ ଆଉ ଥରେ ଯିବା ପାଇଁ ଯୋଜନା କରିଥିଲୁ। ଭାରତକୁ ସେମାନଙ୍କ ମୃତଦେହ ଆଣିବା ପାଇଁ ପ୍ରାୟ ୧୦ ଦିନ ଲାଗିଯିବ ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି। ମୋ ନାତୁଣୀ ଏବେ ମୋ ପୁଅର ଜଣେ ବନ୍ଧୁଙ୍କ ସହ ଅଛି।

Share