ରେଳଧାରଣାରୁ ମିଳିଲା ମହିଳା ବୀମା ଏଜେଣ୍ଟଙ୍କ ମୃତଦେହ

ବଲାଙ୍ଗୀର ଅଫିସ,୭ା୧୧:ବଲାଙ୍ଗୀର ରେଳ ଷ୍ଟେଶନ ନିକଟ ଖୁଜେନପାଲି ରେଳଧାରଣାରୁ ରବିବାର ସକାଳେ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତା ବଲାଙ୍ଗୀର ସହରର ଜଣାଶୁଣା ଜୀବନ ବୀମା ଏଜେଣ୍ଟ ତଥା ତାଲପାଲିପଡା ନିବାସୀ ସାରିକା ସାଏ (୩୮) ବୋଲି ଜଣାପଡିଥିଲା। ରେଲ୍‌ଓ୍ବେ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା (୨୫/୨୨) ରୁଜୁ ହୋଇଥିବା ରେଲ୍‌ଓ୍ବେ ପୋଲିସ ଥାନାଧିକାରୀ ସୁକାନ୍ତ ପ୍ରଧାନ କହିଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ପରିବାର ଲୋକଙ୍କ କହିବା ମୁତାବକ ସାରିକା ଶନିବାର ରାତି ପ୍ରାୟ ୮ଟାରୁ ଘରୁ ବାହାରି ଆଉ ଫେରି ନ ଥିଲେ। ଶନିବାର ରାତିରେ ସାରିକା ତାଙ୍କର ଜଣେ ବାନ୍ଧବୀଙ୍କୁ ଆବେଗଭରା ହ୍ବାଟ୍ସ ଆପ ମେସେଜରେ କଭି ଅଲ୍‌ ବିଦା ନା କେହେନା… ଲେଖିଥିଲେ। ଏହି ମେସେଜ୍‌ ଲେଖିବା ପରେ ସେ ଅତ୍ମେହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସାରିକା ଜଣେ ଜୀବନ ବୀମା ଏଜେଣ୍ଟ ଭାବେ ସହରରେ ପରିଚିତ ଥିଲେ। ସେ ତାଙ୍କ କାର୍‌ରେ ଘରୁ ବାହାରି ରାତିରେ ରେଳଷ୍ଟେଶନ୍‌ ନିକଟ ଖୁଜେନପାଲି ରାସ୍ତା ପାଖ ରେଳଧାରଣା ନିକଟକୁ ଆସି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ରବିବାର ସକାଳେ ତାଙ୍କ କାର୍‌ ଖୁଜେନପାଲି ରାସ୍ତା ଫାଟକ ପାଖରେ ରହିଥିବା ଦେଖାଯାଇଥିଲା। କେଉଁ କାରଣରୁ ସାରିକା ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ସେ ଅବିବାହିତା ଥିଲେ।

Share