ଜମନକିରା,୨୪।୫(ଡି.ଏନ.ଏ): ଜମନକିରା ବ୍ଲକ ଗୁଣ୍ଡରୁଚୁଆଁ ପଞ୍ଚାୟତ ଓଭର ହେଡ ପାଣି ଟାଙ୍କି ପରିସରରେ ବୁଧବର ଏକ ନାବାଳିକାଙ୍କ ମୃତ ସେହ ଉଦ୍ଧାର କରାଯାଇଛି। ସେ ହେଲେ ଅମ୍ରିତା ସିଂ (୧୭)। ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ କୁଚିଣ୍ଡା ପୋଲିସ ସନ୍ଦେହ କରୁଛି। ତେବେ କିଏ କାହିଁକି ହତ୍ୟା କରିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି ପୋଲିସ କହିଛି।
ପୋଲିସର ସୂଚନା ଅନୁଯାୟୀ, ଗତକାଲି ଅମ୍ରିତା ଘରୁ କୌଣସି କାମ ବାହାରିଯାଇଥିଲେ। ତେବେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଆଜି ଭୋର ସମୟରେ କେହି ପାଣି ଟାଙ୍କି ପରିସରରେ ଏକ ପଥର ଗଦା ଭିତରେ ପଡ଼ିଥିବା ଦେଖିଥିଲେ। ଏହି ଖବର ପ୍ରସାରିତ ହେବା ପରେ ପରିବାର ଲୋକେ ଝିଅ ଅମ୍ରିତାର ବୋଲି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସାଇଣ୍ଟିଫିକ ଦଳଙ୍କ ଅପେକ୍ଷା କରିଥିବା ଜଣାଯାଇଛି। ଏ ନେଇ ଅମ୍ରିତାର ବାପା ଇତାକର ସିଂ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପ୍ରକାଶ ଯୋଗ୍ୟ ଯେ, ଇତାର ସିଂ ୧୫ ବର୍ଷ ହେବ ବିହାର ରାଜ୍ୟରୁ ଆସି ଏଠାରେ ପରିବାର ସହ ରହି ଆସୁଥିଲା। ପରିବାରର ସମସ୍ତେ ପ୍ରାୟ ଦିନ ମଜୁରିଆ ଭାବେ କାମ କରି ରହି ଆସୁଥିଲେ।