Categories: ଜାତୀୟ

ହତ୍ୟାର ୧୩ ମାସ ପରେ ମିଳିଲା ଯବାନଙ୍କ ମୃତଦେହ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର କୁଲଗାମ ଜିଲାର ଏକ ଗ୍ରାମରୁ ବୁଧବାର ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ଗଳିତ ମୃତଦେହଟି ରାଇଫଲମ୍ୟାନ ଶାକିର ମନଜୁରଙ୍କର ବୋଲି ତାଙ୍କ ବାପା ଦାବି କରିଛନ୍ତି। ସେ ଗତବର୍ଷ ଅଗଷ୍ଟ ୨ ତାରିଖରୁ ନିଖୋଜ ଥିଲେ। ତାଙ୍କୁ ଶୋପିଆନ ଜିଲାରୁ ଆତଙ୍କବାଦୀମାନେ ଅପହରଣ କରିବା ପରେ ନିର୍ଯାତନା ଦେଇ ହତ୍ୟା କରିଥିଲେ।

ଶାକିର ମନଜୁରଙ୍କ ବାପା ମନଜୁର ଅହମ୍ମଦ ଓ୍ବାଗେ କହିଛନ୍ତି, ମୁଁ ମୃତଦେହକୁ ଚିହ୍ନଟ କରିଛି। ଏହା ପୁଅର ମୃତଦେହ। ମୃତଦେହର ପାଦ ଓ ବ୍ରେସଲେଟ୍‌କୁ ଦେଖି ମୁଁ ଚିହ୍ନଟ କରିଛି। ତେବେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମୃତଦେହଟି ଭାରତୀୟ ଯବାନ ମନଜୁରଙ୍କର ଜାଣିବା ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ। ଗତ ଏକବର୍ଷ ହେଲା ମନଜୁରଙ୍କ ବାପା ଘର ଛାଡ଼ି ପୁଅକୁ ଖୋଜିବାରେ ଲାଗିଥିଲେ।

ଅଫିସିଆଲ ରେକର୍ଡ ଅନୁଯାୟୀ, ଗତ ଏକ ବର୍ଷ ହେଲା ମନଜୁରଙ୍କ ନାମକୁ ନିଖୋଜ ତାଲିକାରେ ରଖାଯାଇଥିଲା। ସେ ମୃତ କି ଜୀବିତ କୌଣସି ପ୍ରମାଣ ନ ମିଳିବାରୁ ଦରମା ଓ କ୍ଷତିପୂରଣରୁ ବଞ୍ଚିତ ହୋଇଥିଲା ତାଙ୍କ ପରିବାର।

ଗତ କିଛି ମାସ ତଳେ ଏକ ଏନ୍‌କାଉଣ୍ଟରେ ମନଜୁରଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। କିନ୍ତୁ ମନଜୁରଙ୍କ ମୃତଦେହକୁ ଠାବ କରିପାରି ନ ଥିଲା ପୋଲିସ।

ଉଲ୍ଲେଖଯୋଗ୍ୟ, ୨୦୨୦ ଅଗଷ୍ଟ ୨ ତାରିଖରେ ମନଜୁର ଗାଡ଼ି ଚଳାଇ କ୍ୟାମ୍ପକୁ ଫେରୁଥିଲେ। ଏହାର ପର ଦିନ ପୋଲିସକୁ ମିଳିଥିଲା ତାଙ୍କ ପୋଡ଼ା କାର। କିଛି ଦିନ ପରେ ଏକ ସେଉ ବଗିଚାରୁ ମିଳିଥିଲା ମନଜୁରଙ୍କ ରକ୍ତ ଭିଜା ପୋଷାକ। ଏକ ଅଡିଓ କ୍ଲିପ ମାଧ୍ୟମରେ ଆତଙ୍କବାଦୀମାନେ ମନଜୁରଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ।

Share