ସଇଁତଲା,୫ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲାରେ ଦାଦନ ଦୁଃଖ ପିଛା ଛାଡ଼ିବାର ନାମ ନେଉନାହିଁ । କିଛି ଦିନ ତଳେ ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥିଲା । ବୁଧବାର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ତାଙ୍କ ପୈତୃକ ଗ୍ରାମ ଆମ୍ବପାଲିରେ ପହଞ୍ଚିଛି।
ପ୍ରକାଶ ଯେ, ସଇଁତଲା ବ୍ଲକ ଅଧୀନ ଆମ୍ବପାଲି ଗ୍ରାମର କିଶୋର ମାଝୀ(୪୦) ଗତ କିଛିମାସ ତଳେ ଅଧିକ ରୋଜଗାର ଆଶାରେ ସ୍ତ୍ରୀ ଓ କୁନି ଝିଅକୁ ନେଇ ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦର କାର୍ପେଟ ଗ୍ରାମକୁ ଯାଇଥିଲେ ା ସେ ସେଠାରେ ଥିବା ଏକ ଅଣ୍ଡା କମ୍ପାନୀରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ହେବାରୁ ସେଠାରେ ଥିବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ହେଲେ ତିନି ଦିନ ତଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ତାଙ୍କ ମୃତଦେହ ପୈତୃକ ଗ୍ରାମକୁ ଆଣିବାର ବ୍ୟବସ୍ଥା କରିବାକୁ ପରିବାର ଲୋକେ କମ୍ପାନୀ ମାଲିକଙ୍କୁ ଅନୁରୋଧ କରିଥିଲେ ହେଁ କୌଣସି ପ୍ରକାର ସହାୟତା ମିଳି ନ ଥିଲା । କାର୍ପେଟ ଗ୍ରାମରୁ ସଇଁତଲା ବ୍ଲକ ଆମ୍ବପାଲି ଗ୍ରାମକୁ ମୃତଦେହ ଆଣିବା ପାଇଁ ଗାଡ଼ି ଭଡ଼ା ବାବଦକୁ ୪୬ ହଜାର ଟଙ୍କା ଦେବାକୁ ସେଠାକାର ଆମ୍ବୁଲାନ୍ସ ଚାଳକମାନେ ମୃତ ମାଝୀଙ୍କ ସ୍ତ୍ରୀଙ୍କୁ କହିଥିଲେ। ଏତେ ଟଙ୍କା ଦେବାକୁ ଅସମର୍ଥ ଥିବା ମୃତକଙ୍କ ସ୍ତ୍ରୀ ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ ।
ପରେ ଗ୍ରାମବାସୀ ଏକ ସଭା କରି ଗାଡ଼ି ଭଡ଼ା ବାବଦରେ ଟଙ୍କା ପ୍ରଦାନ କରିବାକୁ ସ୍ଥିର ହୋଇଥିବା ମୃତ ମାଝୀଙ୍କ ସ୍ତ୍ରୀଙ୍କୁ କହିଥିଲେ । ଭଡ଼ା ଯୋଗାଡ ନ ହେବାରୁ ମୃତଦେହ ଦୁଇ ଦିନ ଡାକ୍ତରଖାନାରେ ପଡ଼ି ରହିଥିଲା । ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଆମ୍ବପାଲିକୁ ଅଣାଯାଇଥିଲା। ମୃତଦେହ ପହଞ୍ଚିବା ପରେ ଆମ୍ବୁଲାନ୍ସ ଭଡ଼ା ବାବଦକୁ ଗ୍ରାମବାସୀଙ୍କ ଦ୍ୱାରା ଆଦାୟ ହୋଇଥିବା ଟଙ୍କା ପ୍ରଦାନ କରାଯାଇଥିଲା । ଗ୍ରାମରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗ୍ରାମ ନିକଟସ୍ଥ ଲାନ୍ଥ ନଦୀ କୂଳରେ କିଶୋରଙ୍କ ଅନ୍ତିମ ସତ୍କାର କରାଯାଇଛି । କଶୋର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।