ଲୋଇସିଂହା,୧୪।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ମାଗୁରବେଡା ଫାଣ୍ଡି ଅଧୀନ ରାଘୁପଦର ଗାଁରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ପୋଲିସ ଜବତ କରିଛି। ମୃତା ହେଲେ ସୀତା ରଣା(୩୦)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଯାଇଛି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(୨୨/୨୧) ରୁଜୁ ହୋଇଛି।
ପୋଲିସ ସୂଚନା ମୁତାବକ, ଉପରବାହାଲ ପଞ୍ଚାୟତ ରାଘୁପଦର ଗ୍ରାମର ସୁରେନ୍ଦ୍ର ସାହୁଙ୍କ ଝିଅ ସୀତା ସେହି ଗ୍ରାମର ରାଧାକାନ୍ତ ରଣାଙ୍କୁ ବିବାହ କରିଥିଲେ । ତାଙ୍କର ୧୨ବର୍ଷର ଗୋଟିଏ ଝିଅ ଅଛି। ସୋମବାର ସୀତା ବରଗଡ ଜିଲା ଗାଇସିଲାଟ ବ୍ଲକ ଜଗଳପାଟସ୍ଥିତ ଶୈବପୀଠକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସୀତା ଘରୁ ବାହାରି ଚାଲିଯାଇଥିଲେ। ମଙ୍ଗଳବାର ସକାଳେ ଗାଁର କିରକିଚିମୁଣ୍ଡା ନିକଟ ଏକ ଲିମ୍ବଗଛରେ ସୀତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ସୀତାଙ୍କ ବାପା ସୁରେନ୍ଦ୍ର ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଆଣି ଝୁଲାଇ ଦିଆଯାଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ମଳୟ ପଣ୍ଡା କହିଛନ୍ତି।