Categories: ଜାତୀୟ

ପଡ଼ିଶା ଘର ଟ୍ରଙ୍କରୁ ମିଳିଲା ନିଖୋଜ ଝିଅର ମୃତଦେହ

ଲକ୍ଷ୍ନୌ,୪।୧୨: ଦୁଇ ଦିନ ହେଲା ନିଖୋଜ ଥିବା ୬ ବର୍ଷୀୟା ଝିଅର ମୃତଦେହ ମିଳିଛି ପଡ଼ିଶା ଘରର ଟ୍ରଙ୍କରୁ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁର ସହରରେ। ତେବେ ପୀଡ଼ିତାଙ୍କୁ ହତ୍ୟା କରାଯିବା ପୂର୍ବରୁ ବଳାତ୍କାର ହୋଇଛି କି ନାହିଁ, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ ବୋଲି ହାପୁର ପୋଲିସ ଏସ୍‌ପି ସର୍ଭେଶ କୁମାର ମିଶ୍ରା କହିଛନ୍ତି।

”ଜଣେ ନାବାଳିକା ଝିଅ ନିଖୋଜ ଥିବା ଗତକାଲି ରିପୋର୍ଟ ହୋଇଥିଲା। ପଡ଼ିଶା ଘରୁ ଦୁର୍ଗନ୍ଧ ହେଉଥିବା ସୂଚନା ପାଇବା ପରେ ଆମର ଏକ ଦଳ ପହଞ୍ଚିଥିଲା ଘଟଣାସ୍ଥଳରେ। କିନ୍ତୁ ଘରର କବାଟରେ ତାଲା ପଡ଼ିଥିଲା। ଆମେ ତାଲା ଭାଙ୍ଗି ଭିତରେ ପଶିଥିଲୁ। ଘରର ତଲାସି ନେବା ପରେ ଏକ ଟ୍ରଙ୍କ ଭିତରୁ ଝିଅର ମୃତଦେହ ମିଳିଥିଲା“ ବୋଲି ସର୍ଭେଶ କହିଛନ୍ତି।

ଘରର ମାଲିକଙ୍କୁ ପୋଲିସ ଅଟକ ରଖି ପଚାରଉଚରା କରୁଛି। ଅଭିଯୁକ୍ତଙ୍କୁ ଥାନାକୁ ନିଆଯିବା ବେଳେ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ, ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ପୀଡ଼ିତାଙ୍କ ବାପା କହିଛନ୍ତି, ସେ ଶେଷ ଥର ଗୁରୁବାର ସନ୍ଧ୍ୟାରେ ଝିଅକୁ ଦେଖିଥିଲେ। ସେତେବେଳେ ଝିଅ କିଛି କିଣିବା ପାଇଁ ଦୋକାନକୁ ଯାଉଥିଲା। କିନ୍ତୁ ସେ ନ ଫେରିବାରୁ ଆମେ ଚିନ୍ତିତ ହୋଇ ରାତି ସାରା ଖୋଜାଖୋଜି କରିଥିଲୁ। ତା’ ପର ଦିନ ଆମେ ଥାନାରେ ନିଖୋଜ ଅଭିଯୋଗ ଦାୟର କରିଥିଲୁ।

Share