ବଲାଙ୍ଗୀର ଅଫିସ,୫।୩: ବଲାଙ୍ଗୀର ସହର ଗେଟ ସରୋବରପଡାରେ ଏକ ଭଡାଘରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଜବତ କରିଛି। ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ବାନି ଶେଖ (୨୩) ବୋଲି ଜଣାପଡ଼ିଛି। ବାନି ଜଣେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଖବର ପାଇ ସଦର ଏସଡିପିଓ ଶ୍ରୀମନ୍ତ ବାରିକ, ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସ୍ଡିପିଓ ବାରିକ କହିଛନ୍ତି ।