ମାଛ ଧରିବାକୁ ଯାଇ ନିଖୋଜ ଥିଲେ ଯୁବକ, ଆଜି ମିଳିଲା ମୃତଦେହ

କୋରାପୁଟ,୩ା୭(ଅମିତାଭ ବେହେରା): କୋଲାବ ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ନିଖୋଜ ଯୁବକଙ୍କ ମୃତଦେହ ବୁଧବାର କୋରାପୁଟ ଓଏସ୍‌ଏପି ତୃତୀୟ ବାଟାଲିଆନର ଓଡ୍ରାଫ ଟିମ୍‌ ଦ୍ୱାରା ଉଦ୍ଧାର କରାଯାଇଛି। କୋଲାବ ଜଳ ଭଣ୍ଡାରର ଲମତାପୁଟ ବ୍ଲକର ଚଣ୍ଡାଲମୁଣ୍ଡା ଗ୍ରାମ ନିକଟ ମହାଦେଇପୁଟ ଘାଟ ନିକଟରୁ ମୃତକଙ୍କ ଶବ ଉଦ୍ଧାର କରାଯାଇଛି।
ସୂଚନା ଥାଉକି, ଗତ ସୋମବାର ସନ୍ଧ୍ୟାରେ ଲମତାପୁଟର ଚଣ୍ଡାଲମୁଣ୍ଡା ଗ୍ରାମର ଧନୁର୍ଜୟ ଶିଶା (୧୮) କୋଲାବ ଜଳଭଣ୍ଡାରରେ ମାଛ ଧରିବାକୁ ଯାଇଥିବା ବେଳେ କୌଣସି କାରଣରୁ ସେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରେ ନିଖୋଜ ଯୁବକଙ୍କ ପରିବାର ପକ୍ଷରୁ ଏନେଇ ଲମତାପୁଟ ପୋଲିସକୁ ସୂଚନା ଦେବା ପରେ ସ୍ଥାନୀୟ ପୋଲିସ ପକ୍ଷରୁ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ କୋରାପୁଟ ଓଡ୍ରାଫ୍‌ ଟିମ୍‌କୁ ନିବେଦନ କରିଥିଲେ। କୋରାପୁଟ ଓଡ୍ରାଫ୍‌ ଟିମ୍‌ର ହାବିଲଦାର ସୁନିଲ ଏକ୍କାଙ୍କ ନେତୃତ୍ୱରେ ଏକ ଦଳ ବୁଧବାର ସକାଳେ ଲମତାପୁଟର ମହାଦେଇପୁଟ ଘାଟ ନିକଟରେ କୋଲାବ ଜଳଭଣ୍ଡାର ପରିସୀମା ଅଞ୍ଚଳରେ ଦୀର୍ଘ ସମୟ ଧରି ତଳାସି ଅଭିଯାନ ଜାରି ରଖି ଧନୁର୍ଜୟଙ୍କ ମୃତଦେହକୁ ଜଳଭଣ୍ଡାରରୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ମୃତକ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ଖବର ପରେ ସ୍ଥାନୀୟ ଚଣ୍ଡାଲମୁଣ୍ଡା ଗ୍ରାମରେ ଶୋକ ଖେଳିଯାଇଛି।

Share