ମୃତଦେହ ସତ୍କାର କଲେ ଜିଲାପାଳ, ଏସ୍‌ପି

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ‘ସମ୍ବଳ’ ଅନୁଷ୍ଠାନ ପକ୍ଷରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସତ୍କାର କରାଯାଇଛି। କମଳିବଜାର ସ୍ବର୍ଗଦ୍ୱାରରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସ୍‌ପି ବାତୁଲା ଗଙ୍ଗାଧର ଯୋଗଦେଇ ମୃତଦେହ ସତ୍କାର କରି ଅନୁଷ୍ଠାନର କର୍ମକର୍ତ୍ତାକୁ ଉତ୍ସାହିତ କରିଥିଲେ।

ଜିଲାପାଳ ପରିଡା କହିଥିଲେ ଯେ, ଏହା ଏକ ମହତ୍‌ କାର୍ଯ୍ୟ। ଆଗକୁ ଏହି କାମ ଜାରି ରହୁ। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ସେହିପରି ଏସ୍‌ପି ଗଙ୍ଗାଧର କହିଛନ୍ତି ଯେ, ସମ୍ବଳ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍‌ ଉମାକାନ୍ତ ରାଜ, ସମ୍ବଳ ଅନୁଷ୍ଠାନର କାଳିଦାସ ପଣ୍ଡା, ରାମଦାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଭାଜପା ନେତା ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ସୁଧୀର ପୂଜାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଟାଉନଥାନା ଅନ୍ତର୍ଗତ ମାଲିପଡା ନିକଟସ୍ଥ ବ୍ରିଜ ତଳେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ପଡି ରହିଥିଲା। ଟାଉନଥାନା ପୋଲିସ ମୃତଦେହ ଉଦ୍ଧାର କରିଥିଲେ। ଶନିବାର ୭୨ ଘଣ୍ଟା ପୂରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ସତ୍କାର କରାଯାଇଛି।

Share