Categories: ଫୁରସତ

ଜଳରେ ଶବଦାହ

ଲଣ୍ଡନ,୪।୭: ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଅନେକ ଦେଶ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି। ବିଶେଷ ଭାବେ ଜୀବାଶ୍ମ ଇନ୍ଧନରୁ ନିର୍ଗତ ହେଉଥିବା ସବୁଜଗୃହ ବାଷ୍ପ ବାୟୁମଣ୍ଡଳକୁ ଅଧିକ ବିଷାକ୍ତ କରୁଛି। ଏହାର ନିରାକରଣ ପାଇଁ ବ୍ରିଟେନ୍‌ର କୋ-ଓପି ଫ୍ୟୁନେରାଲ କେୟାର ପକ୍ଷରୁ ଆଗାମୀ ଦିନରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସଲୀଳ ବା ଜଳ ସମାଧି (ଓ୍ବାଟର କ୍ରିମେଶନ୍‌) ମେଥଡ୍‌ ଆରମ୍ଭ କରାଯିବ।
ଶବଦାହ ପାଇଁ ବ୍ୟବହାର ହେବାକୁ ଥିବା ଏହି ନୂଆ ପ୍ରଣାଳୀରେ ନିଆଁ ପରିବର୍ତ୍ତେ ପୋଟାସିୟମ୍‌ ପେରୋକ୍ସାଇଡ୍‌ ଏବଂ ଜଳର ବ୍ୟବହାର କରାଯିବ, ଯାହା ମନୁଷ୍ୟ ଶରୀରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବ। ତେବେ ଶବଦାହର ଏହି ମେଥଡ୍‌କୁ ରିଜୋମେଶନ ବୋଲି କୁହାଯାଏ। ପ୍ରଥମେ ବାୟୋଡିଗ୍ରେଡେବୁଲ ବ୍ୟାଗ୍‌ରେ ମୃତଦେହକୁ ଏକ ବାୟୋଗ୍ରେଡେବୁଲ ବ୍ୟାଗ୍‌ରେ ଭର୍ତ୍ତି କରି ପୋଟାସିୟମ୍‌ ହାଇଡ୍ରୋକ୍ସାଇଡ୍‌ ଓ ପ୍ରେସରାଇଜ୍ଡ ଓ୍ବାଟର (ଆବଶ୍ୟକସ୍ଥଳରେ ଜଳ ପ୍ରବାହକୁ କମ୍‌ ବା ବେଶି କରାଯାଇପାରିବ) ବ୍ୟବସ୍ଥା ଥିବା ଏକ କଣ୍ଟେନରରେ ରଖାଯାଏ। ୪ ଘଣ୍ଟାର ଏହି ପ୍ରଣାଳୀରେ ଅସ୍ଥି ପାଉଁଶ ହୋଇ ବାହାରିଯାଏ। ଏହାକୁ ‘ବଏଲ୍‌ ଇନ୍‌ ଦ ବ୍ୟାଗ୍‌’ ବୋଲି ମଧ୍ୟ କୁହାଯାଏ। ତେବେ ଏହାଦ୍ୱାରା ଶବ ସଂସ୍କାର କଲେ ବାୟୁ ପ୍ରଦୂଷଣ କଲା ଭଳି କୌଣସି ବିଷାକ୍ତ ଗ୍ୟାସ୍‌ କିମ୍ବା ପ୍ରଦୂଷକ ଉତ୍ପନ୍ନ ହେଉ ନ ଥାଏ। ଏହି ପ୍ରଣାଳୀରେ ଦାହ ସଂସ୍କାର କରିବା ଖର୍ଚ୍ଚ ସାପେକ୍ଷ।

Share