ଶସ୍ତା ହୋଇପାରେ ଚାଉଳ

ନୂଆଦିଲ୍ଲୀ,୧୫।୧୦: ପାର୍ବଣ ଆରମ୍ଭ ପୂର୍ବରୁ ଚାଉଳର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଚାଉଳ ଉପରେ ରପ୍ତାନି ଶୁଳ୍କର ଅବଧି ଆସନ୍ତା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ମାର୍ଚ୍ଚ ୩୧, ୨୦୨୪ପର୍ଯ୍ୟନ୍ତ ଚାଉଳ ରପ୍ତାନି ଉପରେ ଶୁଳ୍କ ଦେବାକୁ ପଡିବ। ଅର୍ଥ ମନ୍ତ୍ରଣାଳୟ ଏନେଇ ବିଜ୍ଞପ୍ତି ଜାରି କରିଛି। ବିଶେଷଜ୍ଞନୁସାରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଘରୋଇ ବଜାରରେ ଚାଉଳ ଦର ହ୍ରାସ କରିପାରେ।

ଗତ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଉଷୁନା ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଥିଲେ। ଏହାପରେ ଉଷୁନା ଚାଉଳ ରପ୍ତାନି ଉପରେ ରପ୍ତାନି ଶୁଳ୍କ ୧୬ ଅକ୍ଟୋବର ୨୦୨୩ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁର୍ଗାପୂଜା ଓ ଦୀପାବଳି ସମୟରେ ଚାଉଳର ଚାହିଦା ବଢିଥାଏ। ଏଭଳି ପରିସ୍ଥିତିରେ ଚାଉଳର ଦର ମଧ୍ୟ ବଢିଥାଏ। ଏତେବେ ଦରବୃଦ୍ଧି ନ ହେବା ପାଇଁ କେନ୍ଦ୍ର ସରକାର ୧୬ ଅକ୍ଟୋବର ୨୦୨୩ରୁ ୩୧ ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ଉଷୁନା ଚାଉଳ ରପ୍ତାନି ଉପରେ ଲାଗୁ କରିଥିବା ରପ୍ତାନି ଶୁଳ୍କକୁ ବୃଦ୍ଧି କରିଛନ୍ତି।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଚାଉଳର ଦରକୁ ନିୟନ୍ତ୍ରଣ କରିବା ପାଇଁ ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ସରକାର ଆଶା କରୁଛନ୍ତି ଯେ ଏହି ନିଷ୍ପତ୍ତି ସହିତ ଦେଶରେ ଅଣ-ବାସୁମତି ଚାଉଳର ଷ୍ଟକ ବୃଦ୍ଧି ପାଇବ, ଯାହା ସ୍ବୟଂଚାଳିତ ଭାବରେ ଦର ହ୍ରାସ କରିବ। ଏଥି ସହିତ ଗତ ବର୍ଷ ସେପ୍ଟେମ୍ବରରେ ସରକାର ଭଙ୍ଗା ଚାଉଳ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ ଦେଶ। ଚଳିତ ଆର୍ଥିକ ବର୍ଷରେ, ଏପ୍ରିଲରୁ ଜୁନ ମଧ୍ୟରେ ଭାରତ ସମୁଦାୟ ୧୫.୫୪ଲକ୍ଷ ଟନ ଅଣ ବାସୁମତି ଚାଉଳ ରପ୍ତାନି କରିଥିଲା। ସେହି ସମୟରେ, ଗତ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ମାତ୍ର ୧୧.୫୫ ଲକ୍ଷ ଟନ ଥିଲା। ଏହାର ଅର୍ଥ ହେଉଛି ଚଳିତ ବର୍ଷ ଅଧିକ ଚାଉଳ ବିଦେଶକୁ ରପ୍ତାନି ହୋଇଛି। ଏଭଳି ପରିସ୍ଥିତିରେ ରପ୍ତାନି ଶୁଳ୍କ ଲାଗୁ କରି ଚାଉଳ ଦରହ୍ରାସ ପାଇବ ବୋଲି ସରକାର ଆଶା କରୁଛନ୍ତି। ଏଥିସହ ଖୁଚୁରା ବଜାରରେ ଚାଉଳର ଦର ମଧ୍ୟ ହ୍ରାସ ପାଇବ।

Share