ହାତବାନ୍ଧି ବସିଛନ୍ତି ବଇଣ୍ଡା ବ୍ୟବସାୟୀ

ବଇଣ୍ଡା,୧୮।୫(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୪ ବର୍ଷ ତଳେ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରୁ ୩୦୦ ଉଠାଦୋକାନୀଙ୍କୁ ହଟାଇ ଦିଆଗଲା। ସରକାରୀ କାର୍ଯ୍ୟାଳୟ, ବିଶ୍ରାମାଗାରଠାରୁ ଆରମ୍ଭ କରି ବିଦ୍ୟାଳୟ ଯାଏ ଭାଙ୍ଗି ମାଟିରେ ମିଶାଇ ଦିଆଗଲା। ହେଲେ ଉଚ୍ଛେଦକୁ ଠିକ୍‌ ୪ ବର୍ଷ ପୂରଣ ହୋଇଥିଲେ ହେଁ ରାଜପଥ କାର୍ଯ୍ୟ ଆଗେଇପାରି ନାହିଁ। ଏପରି କି ଓଭରବ୍ରିଜ୍‌, ଡ୍ରେନ୍‌ ନିର୍ମାଣ କେବଳ ଗାତଖୋଳାରେ ଅଟକି ରହିଛି। ବାରମ୍ବାର ଜିଲା ପ୍ରଶାସନଠାରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି। ଫଳରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଘରେ ବସିରହିଥିବା ବେଳେ ଅଞ୍ଚଳବାସୀ ଖୁବ୍‌ଶୀଘ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
୨୦୧୮ ମେ’ ୧୭ ଓ ୧୮ରେ ବଇଣ୍ଡାଠାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ବଇଣ୍ଡା ଛକରେ ଥିବା ଦୋକାନ, ଘର ଆଦିକୁ ଅତ୍ୟନ୍ତ ତରବରିଆ ଭାବେ ହଟାଇ ଦିଆଗଲା। ହେଲେ ଉଚ୍ଛେଦ ପାଇଁ ପ୍ରଶାସନ ଯେପରି ତତ୍ପରତା ଦେଖାଇଲା, ରାଜପଥ ନିର୍ମାଣ ସାରିବାକୁ ଠିକାସଂସ୍ଥାକୁ ସେପରି ତାଗିଦା କରିପାରୁ ନାହିଁ। ସେହିପରି ଡିସେମ୍ବର ୨୦୨୦ରେ ବଇଣ୍ଡାଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଠିକା ସଂସ୍ଥା ପକ୍ଷରୁ ୩ଟି ବଡ଼ ଗର୍ତ୍ତ ଖୋଳାଯାଇଥିଲା। ୧୭ ମାସ ପରେ ଉକ୍ତ କାର୍ଯ୍ୟ ସେହିଠାରେ ଅଟକି ରହିଛି। ଖୋଳାଯାଇଥିବା ଗର୍ତ୍ତରେ ପଡ଼ି କେତେବେଳେ ବାଇକ୍‌ ଆରୋହୀ ତ ଆଉ କେବେ ଗୋରୁମାନେ କ୍ଷତାକ୍ତ ହେଉଛନ୍ତି। ଜାତୀୟ ରାଜପଥର ଦୁଇ ପାର୍ଶ୍ୱ ସର୍ଭିସ ରୋଡ୍‌ ନିର୍ମାଣ କରାଯାଉଥିବାବେଳେ ମାତ୍ର ୨୦ ପ୍ରତିଶତ କାମ କରି ଠିକାସଂସ୍ଥା କାର୍ଯ୍ୟ ବନ୍ଦ କରିଦେଇଥିବା ଯୋଗୁ ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ହେଉଥିବା ଡ୍ରେନ୍‌ କାର୍ଯ୍ୟ ମାତ୍ର ୩୦ ପ୍ରତିଶତ ସରିଛି। ଫଳରେ ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହେଇ ନ ପାରି ଘର ଭିତରେ ପ୍ରବେଶ କରୁଛି। ଚନ୍ଦନ ପୋଖରୀରେ ବ୍ରିଜ ନିର୍ମାଣ କରାଯାଉ ନ ଥିବା ବେଳେ ନୁନୁକାପଶି ଅଞ୍ଚଳରୁ ଆସୁଥିବା ପାହାଡ଼ପାଣି ସହ ବର୍ଷା ଜଳ ଗଚ୍ଛିତ ହୋଇ ମାହେଶ୍ୱରୀ ମନ୍ଦିର ପରିସରକୁ ବୁଡ଼ାଇ ରଖୁଛି। ଶୀଘ୍ର କାମ ଶେଷ ସହ ୩ ଶହ ଉଠାଦୋକାନୀଙ୍କୁ ଥଇଥାନ କରିବା ପାଇଁ ବଇଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ବଇଣ୍ଡା-ଆଠମଲିକ ରୋଡ୍‌ରୁ ଉଚ୍ଛେଦ ହୋଇଥିବା ବିଶ୍ରାମାଗାର ନିର୍ମାଣ କରାଯାଉ ନାହିଁ। ଫଳରେ ଯାତ୍ରୀମାନେ ଖରାରେ ଠିଆ ହୋଇ ଗାଡ଼ିକୁ ଅପେକ୍ଷା କରୁଛନ୍ତି।