ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ

ଛତ୍ରପୁର,୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ସମାଜ ପକ୍ଷରୁ ସୋଲରେ ଏକ ବୃହତ ବୋଇତ ନିର୍ମାଣ କରି ବୋଇତକୁ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲରେ ସୁସଜ୍ଜିତ କରାଯାଇଥିଲା। ପରେ ଚଣ୍ଡିଛକରେ ଥିବା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣୀମ୍ମା ଠାକୁରାଣୀ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ତୈଳିକ ବୈଶ୍ୟ ସମାଜର ମହିଳା, ପୁରୁଷ ସାମିଲ ହୋଇ ଏକ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ପୁରୁଣାଲାଇନସ୍ଥିତ ଗୌରୀ ଶଙ୍କର ମନ୍ଦିର ନିକଟରେ ପହଞ୍ଚି ଥିଲେ। ପରେ ବୋଇତ ବନ୍ଦାପନା କରି ଲାଇନ ବନ୍ଧରେ ଭସାଯାଇଥିଲା। ଏହି ଉତ୍ସବରେ ତୈଳିକ ବୈଶ୍ୟ ସମାଜ ସଭାପତି ରମେଶ ଚନ୍ଦ୍ର ସାହୁ, ଉପସଭାପତି ଅଶୋକ କୁମାର ସାହୁ, ସଂପାଦକ ସୁଧୀର କୁମାର ସାହୁ, ସହ-ସଂପାଦକ ସଦାନନ୍ଦ ସାହୁ, କୋଷାଧ୍ୟକ୍ଷ ବାବୁଲୀ ସାହୁ, ପୂର୍ବତନ ସଭାପତି ମାଧବ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ସାହୁ ସମେତ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ଗତ ୨ ବର୍ଷ କରୋନା ଯୋଗୁ ସମସ୍ତ ପର୍ବପର୍ବାଣୀ ବନ୍ଦ ରହିଥିଲା ବେଳେ ଚଳିତବର୍ଷ ବହୁ ଧୁମ୍‌ଧାମ୍‌ରେ ଲୋକେ ପାଳନ କରୁଛନ୍ତି।

Share