ବୋକୋ ହାରାମ ଆତଙ୍କବାଦୀଙ୍କ ନିର୍ଯାତନା: ଦିନରେ ୨ ଥର ମାଡ଼,ଥରେ ଖାଦ୍ୟ

ଆବୁଜା,୧୯।୧୨: ନାଇଜେରିଆର ସେକେଣ୍ଡାରୀ ସ୍କୁଲରୁ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୩୪୪ ଶିକ୍ଷାର୍ଥୀ ଏବେ ଘରକୁ ଫେରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦେଇଥିବା ନିର୍ଯାତନ ସମ୍ପର୍କରେ ଅପହୃତ ଶିକ୍ଷାର୍ଥୀମାନେ ପ୍ରକାଶ କରିଛନ୍ତିି। ସେମାନଙ୍କ ଦିନରେ ୨ ଥର ପିଟା ଯିବା ସହିତ ଥରେ ଖାଇବାକୁ ଦିଆଯାଉଥିଲା। ଉତ୍ତରପଶ୍ଚିମ ନାଇଜେରିଆରେ ଥିବା କାଟସିନା ରାଜ୍ୟର କାନକାରାସ୍ଥିତ ସରକାରୀ ସାଇନ୍ସ ସେକେଣ୍ଡାରୀ ସ୍କୁଲରେ ଏଭଳି ଘଟଣା ଘଟିବା ପରେ ରାଷ୍ଟ୍ରପତି ମହମ୍ମଦ ବୁହାରିଙ୍କ ଉପରେ ଶିକ୍ଷାର୍ଥୀମାନଙ୍କୁ ମୁକ୍ତ କରିବା ଲାଗି ଚାପ ପଡ଼ିଥିଲା। ଅପହୃତ ଶିକ୍ଷାର୍ଥୀଙ୍କ ଉପରେ ବୋକୋ ହାରାମ ଆତଙ୍କବାଦୀ ଏଭଳି ଦୟନୀୟ ନିର୍ଯାତନା ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ୨୦୧୪ ଏପ୍ରିଲ୍‌ରେ ବୋକୋ ହାରାମ ଆତଙ୍କବାଦୀ ସଂଗଠନ ପକ୍ଷରୁ ବୋର୍ନୋ ରାଜ୍ୟର ଚିବୋକ୍‌ ସ୍ଥିତ ସେକେଣ୍ଡାରୀ ସ୍କୁଲରୁ ୨୭୦ ଜଣ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା। ସେହିପରି ୨୦୧୪ ଫେବୃୟାରୀରେ ୫୯ ସ୍କୁଲ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା।

Share