Categories: ଖେଳ

ଟେଷ୍ଟରେ ଡେବ୍ୟୁ କରିବେ ଏହି ଦ୍ରୁତ ବୋଲର

ମେଲବୋର୍ନ,୨୫।୧୨: ହାଇପ୍ରୋଫାଇଲ ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍‌ ରବିବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ବକ୍ସିଂ ଡେ ଟେଷ୍ଟ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପ୍ରଥମ ଦୁଇଟି ଟେଷ୍ଟ ଜିତି ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହୋଇଛି। ଏହି ଟେଷ୍ଟ ଜିତି ଅଷ୍ଟ୍ରେଲିଆ ୩-୦ରେ ଅଗ୍ରଣୀ ହେବା ସହ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ଆଗୁଆ ହାତେଇବାକୁ ପ୍ରୟାସ କରିବ। ଅନ୍ୟପଟେ ଇଂଲଣ୍ଡ ବିଜୟୀ ହୋଇ ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ। ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡ ଟେଷ୍ଟ ଡେବ୍ୟୁ କରିବେ। ସେହିପରି ଇଂଲଣ୍ଡ ଦଳରେ ୪ଟି ପରିବର୍ତ୍ତନ କରାଯାଇଛି।

ମାଂସପେଶୀଜନିତ ଆଘାତ ସମସ୍ୟା କାରଣରୁ ଦ୍ରୁତ ବୋଲର ଝେ ରିଚାର୍ଡସନ ଓ ମାଇକେଲ ନେସେର ଦଳରୁ ବାଦ୍‌ ପଡିବା ଫଳରେ ବୋଲାଣ୍ଡଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ପୂର୍ବରୁ ଜୋଶ ହାଜେଲଉଡ ସାଇଡ୍‌ ଷ୍ଟ୍ରେନ୍‌ କାରଣରୁ ବାଦ୍‌ ପଡିସାରିଛନ୍ତି। ଫଳରେ ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ଖେଳି ନ ଥିବା ଅଧିନାୟକ ପ୍ୟାଟ କୁମିନ୍ସ ଓ ବୋଲାଣ୍ଡ ଦୁଇ ଖେଳାଳିଭାବେ ଦଳରେ ସାମିଲ ହୋଇଛନ୍ତି। କୋଭିଡ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ କୁମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡିଥିଲେ।

ଅପରପକ୍ଷରେ ଇଂଲଣ୍ଡ ଦଳରୁ ଓପନର ରୋରି ବନର୍‌ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରାଡ, ଓଲି ପୋପ୍‌ ଓ କ୍ରିସ୍‌ ଓ୍ବକ୍ସ ବାଦ୍‌ ପଡିଛନ୍ତି। ବୋଲର ମାର୍କ ଉଡ୍‌ ଓ ଜ୍ୟାକ ଲିଚ୍‌ ପ୍ରତ୍ୟାବର୍ତ୍ତନ କରିବେ। ଜ୍ୟାକ କ୍ରଲି ଓ ଜୋନାଥନ ବେୟାରଷ୍ଟୋ ଚଳିତ ସିରିଜରେ ପ୍ରଥମ ଟେଷ୍ଟ ଖେଳିବେ। ଜୋଶ ବଟଲର ଉଇକେଟକିପିଂ ଜାରି ରଖିବେ। ଏଥିପାଇଁ ବେୟାରଷ୍ଟୋଙ୍କୁ ଦାୟିତ୍ୱ ଦିଆଯିବ ନାହିଁ ବୋଲି ଇଂଲଣ୍ଡ ପକ୍ଷରୁ କୁହାଯାଇଛି। ଏହି ଟେଷ୍ଟରେ ଆମେ ବିଜୟୀ ହେବାକୁ ପ୍ରୟାସ କରିବୁ ବୋଲି ବଟଲର କହିଛନ୍ତି।

Share