୬ରେ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର ଅଫିସ, ୫ା୧: ମହାରାଣୀ ସାଗର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ, ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ଏବଂ ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ଦାବି ନେଇ ଆସନ୍ତା ୬ ତାରିଖରେ ବଲାଙ୍ଗୀର ବନ୍ଦ ପାଳନ ପାଇଁ ଆକ୍ସନ କମିଟି ନେତୃତ୍ୱରେ ନିଷ୍ପତ୍ତି ହୋଇଥିଲା। ସ୍ଥାନୀୟ ଅମଲା ଭବନରେ ଆକ୍ସନ କମିଟି ପକ୍ଷରୁ ଏକ ବୈଠକ ଡକାଯାଇ ୬ ତାରିଖରେ ସହରର ସରକାରୀ ଅଫିସ, ବ୍ୟାଙ୍କ, ଡାକଘର, ବୀମା ପ୍ରତିଷ୍ଠାନ, ସ୍କୁଲ କଲେଜ, ଦୋକାନ ବଜାର, ଗାଡିମଟର ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ମହାରାଣୀ ସାଗର ପ୍ରକଳ୍ପ ପାଇଁ ୨୨ କୋଟି, ଲକ୍ଷ୍ମୀଯୋର ପାଇଁ ୧୨ କୋଟି ଅନୁଦାନ ଥିଲେ ବି କାମ ତ୍ୱରାନ୍ବିତ ହେଉନାହିଁ। ବୈଠକରେ ଆକ୍ସନ କମିଟି ସଭାପତି ମୁନା ପଟ୍ଟନାୟକ, ନାଗରିକ କମିଟି ସଭାପତି ଇଂ ବେଲାର ସିଂ ଭୋଇ, ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଭାକର ମିଶ୍ର, ଗୋପଭୂଷଣ ନାଥ, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ଆକ୍ସନ କମିଟି ତରଫରୁ ସହରରେ ୬ ତାରିଖ ବନ୍ଦ ନେଇ ଅଟୋରିକ୍ସାରେ ଡାକବାଜି ଦ୍ୱାରା ପ୍ରଚାର କରାଯାଇଥିଲା। ଏହାର କିଛି ସମୟ ପରେ ଅନ୍ୟ ଏକ ଅଟୋରିକ୍ସାରେ ଡାକବାଜି ଜରିଆରେ ୬ ତାରିଖ କୌଣସି ବନ୍ଦ ହେବନାହିଁ। ସବୁ ଦୋକାନ ବଜାର ଖୋଲାରହିବ ବୋଲି ପ୍ରଚାର କରାଯାଇଥିଲା। ଦୁଇ ଅଟୋରିକ୍ସାରେ ପରସ୍ପର ବିପରୀତ ପ୍ରଚାର ଶୁଣି ଲୋକେ ବିଭ୍ରାନ୍ତିରେ ପଡିଛନ୍ତି।

Share