ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ ଜାତୀୟ ରାଜପଥରେ ବୁଲେଟ ଦୁର୍ଘଟଣାରେ ଦୁଇ ଓ ବାରିପଦା-ଲୁଲୁଂଗ ରାସ୍ତାର ରଙ୍ଗାମାଟିଆ ସ୍ଥିତ ଖସାଡିହା ଠାରେ ବୋଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ବୁଲେଟ ଦୁର୍ଘଟଣାରେ ମୃତ ୨ଯୁବକ ହେଲେ ବାରିପଦା ସଦର ଥାନା ଅଧୀନ ସିନ୍ଦୂର ଗୌରା ଗ୍ରାମର ବିକାଶ ମହାନ୍ତ ଓ ହରିଶ୍ଚନ୍ଦ୍ରପୁର ଗ୍ରାମର ମିଟୁ ମହାନ୍ତ ।
ସେହିପରି ବୋଲେରୋ ଦୁର୍ଘଟଣାରେ ମୃତ ଦ୍ବୟ ହେଲେ ଗାଡିର ଡ୍ରାଇଭର ଭୁବନ କୁମାର ସିଂ ଏବଂ ଜୟନ୍ତ କୁମାର ସିଂ। ଅନ୍ୟ ୧୧ ଜଣଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଗତ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡିରେ ରଙ୍ଗାମାଟିଆରୁ ବାହାରି ତାରାଯୋଡି ଯାଉଥିବା ବେଳେ ଖସାଡିହା ଠାରେ ଗଛରେ ପିଟିହୋଇଥିଲା । ଫଳରେ ଗାଡିରେ ଥିବା ୧୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବୁଲେଟରେ ଯାଉଥିବା ସମୟରେ ପାଲବଣୀ ଠାରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ବରେ ପିଟି ହେବାରୁ ଦୁହିଁଙ୍କ ମୃତ୍ୟୁ ଘଟିଛି । ସମସ୍ତଙ୍କୁ ପିଆରଏମ ମେଡିକାଲ ଓ ହସ୍ପିଟାଲରେ ବ୍ୟବଛେଦ ପାଇଁ ମୃତଦେହକୁ ରଖାଯାଇଛି ।

Share