କରୋନା ଚିକିତ୍ସା ପାଇଁ ବ୍ଲିଚିଂ ପାଉଡର, ହାର୍‌ପିକ୍‌ ପିଇବାକୁ ସରକାର ଦେଲେ ଅନୁମତି

ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାରିଛି। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଅନେକ ଦେଶ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। ରୁଷିଆ ଏଥିରେ ସଫଳ ହୋଇଥିବା ଘୋଷଣା ମଧ୍ୟ କରିସାରିଛି। ମାତ୍ର ଏବେ ବି ତା’ର ଟିକା ଉପରେ ଅନେକ ପ୍ରଶ୍ନ ଉଠୁଛି। ସେହିପରି ବିଟ୍ରେନର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଖୁବ୍‌ଶୀଘ୍ର ଟିକା ବାହାରିବ ବୋଲି ଦାବି ହେଉଛି। ହେଲେ ଏମିତି ଏକ ଦେଶ ରହିଛି ଯିଏକି ବିନା କୌଣସି ପରୀକ୍ଷାରେ କରୋନା ଚିକିତ୍ସା ପାଇଁ ବ୍ଲିଚିଂ ପାଉଡରକୁ ଅନୁମତି ଦେଇଛି। ଅର୍ଥାତ୍‌ ଏବେ ଏଠାରେ ଟୟଲେଟ୍‌ କ୍ଲିନର ଦ୍ୱାରା କରୋନା ଚିକିତ୍ସା ହେବ। କ୍ଲୋରିନ୍‌ ଡାଇଅକ୍ସାଇଡ୍‌କୁ ଟୟଲେଟ୍‌ କ୍ଲିନର ରୂପେ ବ୍ୟବହାର କରାଯାଇଥାଏ। ଯାହା ଫଳରେ କିଟାଣୁ ମରିଯାଏ। ଏପରି କହି ଜଣେ ତତ୍ତ୍ୱବାଦୀ କରୋନା ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରିବାକୁ କହିଛନ୍ତି। ବର୍ତ୍ତମାନ ବଲିଭିଆ ସରକାର କରୋନା ଉପଚାର ଲାଗି ଏହି ବିଷାକ୍ତ ବ୍ଲିଚକୁ ଅନୁମୋଦନ କରିଛନ୍ତି। ଏହା କରୋନା ସହ ଲଢ଼ିବ ବୋଲି ସେଠାରେ କୁହାଯାଇଛି।
କ୍ଲୋରିନ୍‌ ଡାଇଅକ୍ସାଇଡ୍‌କୁ ବାଥ୍‌ରୁମ୍‌ ବ୍ୟତିତ ପେପର ଇଣ୍ଡଷ୍ଟ୍ରିରେ ମଧ୍ୟ ବ୍ୟବହାର କରାଯାଏ। କିନ୍ତୁ କରୋନା ଜୀବାଣୁକୁ ମାରିବା ପାଇଁ ଏହା ସବୁଠାରୁ ପ୍ରଭାବଶାଳୀ ଔଷଧ ବୋଲି ସେଠାକାର ଅନେକ ଲୋକ ଦାବି କରିଛନ୍ତି। ଖବର ଅନୁଯାୟୀ, ଲାଟିନ୍‌ ଆମେରିକୀୟ ଦେଶ ଏହି ବ୍ଲିଚ୍‌କୁ କରୋନା ରୋଗୀଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି। ଏହି କାରଣରୁ ଅନେକ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି, ତଥାପି ଏହାକୁ ଅନୁମୋଦନ କରାଯାଇଛି। ପାସ୍‌ ହୋଇଥିବା ସରକାରୀ ବିଲ୍‌ରେ ଏହା ସ୍ପଷ୍ଟ ଲେଖାଯାଇଛି ଯେ, କୋଭିଡ୍‌-୧୯ ରୋଗୀଙ୍କ ଉପରେ ଦେଶର କ୍ଲୋରାଇନ୍‌ ଡାଇଅକ୍ସାଇଡ୍‌ ବ୍ୟବହାର କରାଯାଇ ପାରିବ। ବଲିଭିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଜେ କହିଛି ଯେ, ଲୋକମାନେ ଏହାକୁ ଖାଇବା ଉଚିତ୍‌ ନୁହେଁ। ଏହାକୁ ଖାଇବା ଦ୍ୱାରା ବାନ୍ତି, ଲୋ ବିପି, ଯକୃତ ସମସ୍ୟା ଆଦି ସୃଷ୍ଟି ହୋଇଥାଏ। ଏହା ସତ୍ତ୍ୱେ ବଲିଭିଆ ସରକାର ଏହି ବିଲ୍‌ ପାରିତ କରାଇଛନ୍ତି।

Share