ମୁମ୍ବାଇ,୨୫।୪: କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ସବୁବେଳେ ପୀଡ଼ିତଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଥିବା ବଲିଉଡ୍ ଅଭିନେତା ଖିଲାଡ଼ି ବୟ ଅକ୍ଷୟ କୁମାର କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ପୂର୍ବତନ କ୍ରିକେଟର ତଥା ଏମ୍ପି ଗୌତମ ଗମ୍ଭୀର ଫାଉଣ୍ଡେଶନକୁ କୋଟିଏ ଟଙ୍କାର ସହାୟତା ପ୍ରଦାନ କରିଛି। ଅକ୍ଷୟଙ୍କ ଏହି ବଦାନ୍ୟତା ପାଇଁ ଗମ୍ଭୀର ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି। ଏଭଳି ସଙ୍କଟ ସମୟରେ ସଭିଏଁ ଏଭଳି ସହାୟତା କରିବା ଆବଶ୍ୟକ। ଏହି ଆର୍ଥିକ ସହାୟତା ଦ୍ୱାରା ଭୋକ ଉପାସରେ ରହିଥିବା ଲୋକଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଇ ଦିଆଯିବ। ଏହା ସହିତ ଲୋକଙ୍କୁ ଔଷଧ ଏବଂ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ମଧ୍ୟ କରାଯିବ ବୋଲି ଗମ୍ଭୀର କହିଛନ୍ତି। କୋଟିଏ ଟଙ୍କା ଦାନ କରିବା ପରେ ଅକ୍ଷୟ ଟୁଇଟ୍ କରି କହିଛନ୍ତି ଯେ, ଦେଶର ଏଭଳି ସଙ୍କଟ ସମୟରେ ମିଳିତ ଭାବେ ଲଢ଼େଇ କରିବା ଆବଶ୍ୟକ। ଶୀଘ୍ର ଏହି ସଙ୍କଟ ଦୂର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।