ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ନିକଟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଜଣାପଡିଥିଲା କି ସେ କ୍ୟାନସରରେ ପୀଡ଼ିତ ଅଛନ୍ତି। ଏହା ଷ୍ଟେଜ ୪ କ୍ୟାନସର। ତେବେ ଚିକିତ୍ସା ପାଇଁ ସେ ତୁରନ୍ତ ଆମେରିକା ଯାଇ ପାରନ୍ତି ବୋଲି ଶୁଣିବାକୁ ମିଳିଥିଲା। ହେଲେ ଇତିମଧ୍ୟରେ ରବିବାର ସଞ୍ଜୟ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡିଛି। ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ସାମ୍ନାକୁ ଆସି ନ ଥିବା ବେଳେ କୋକିଳାବେନ୍ ହସ୍ପିଟାଲ ବାହାରେ ସଞ୍ଜୟଙ୍କୁ ଦେଖିବାକୁ ମିଳିଥିବା ବେଳେ ତାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସଞ୍ଜୟ ବିଦେଶ ଯିବା ପୂର୍ବରୁ ଫିଲ୍ମ ‘ସଡ଼କ ୨’ର ଡବିଂ କାମ ସାରିବେ ବୋଲି ଜଣାପଡିଛି। ଏହା ଭିତରେ ଯଦିଓ ଏହି କାମ ଆରମ୍ଭ ହୋଇଯାଇଛି କିନ୍ତୁ ସେ ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲ ଯାଇଥିବା କୁହାଯାଉଛି। ସଞ୍ଜୟଙ୍କ ହାତରେ ଆଉ ପ୍ରାୟ ୫ଟି ଫିଲ୍ମ ଥିବା ବେଳେ କିଛିର ୪୦-୬୦ ପ୍ରତିଶତ କାମ ସରିଥିବା କୁହାଯାଉଛି।