ଛାଡ଼ପତ୍ର ଦେବା ପରେ ଏସବୁ ଅଭିନେତାଙ୍କୁ ମିଳିଛି ପ୍ରକୃତ ପ୍ରେମ, କିଏ କଲେଣି ବିବାହ ତ କିଏ କରୁଛନ୍ତି ଡେଟ୍‌

ବମ୍ବେ: ଅଭିନୟ ନଚେତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ସେଲିବ୍ରିଟି। ସେଥିରୁ ଅନେକେ ପ୍ରଥମ ପାର୍ଟନରଙ୍କୁ ଛାଡ଼ପତ୍ର ଦେବାପରେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଆସନ୍ତୁ ସେଭଳି କିଛି ଯୋଡ଼ିଙ୍କୁ ଜାଣିବା:
ଦିୟା ମିର୍ଜା: ୨୦୧୪ ଅକ୍ଟୋବର ୧୮ରେ ଦିଲ୍ଲୀରେ ନିଜ ପ୍ରେମିକ ସାହିଲ ସାଂଘାଙ୍କୁ ବିବାହ କରିଥିଲେ ଏହି ଅଭିନେତ୍ରୀ। ହେଲେ ବିବାହର ପାଞ୍ଚ ବର୍ଷ ପରେ ଅଗଷ୍ଟ ୨୦୧୯ରେ ଉଭୟ ଅଲଗା ହୋଇଥିଲେ। ଦୀର୍ଘ ୧୧ ବର୍ଷର ସମ୍ପର୍କକୁ ସେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ନିକଟରେ ସେ ମୁମ୍ବାଇର ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି।

ମଲାଇକା ଅରୋରା:
୧୯୯୮ରେ ଅଭିନେତା ଅର୍‌ବାଜ ଖାନ୍‌ଙ୍କ ହାତ ଧରିଥିଲେ ମଲାଇକା। ୨୦୦୨ରେ ତାଙ୍କର ପୁଅ ଅରହାନ୍‌ ଜନ୍ମ ନେଇଥିଲା। ହେଲେ ୨୦୧୬ ମାର୍ଚ୍ଚ ୨୮ରେ ସେ ସ୍ବାମୀଙ୍କଠାରୁ ଅଲଗା ରହୁଥିବା କହିଥିଲେ। ପରେ ୨୦୧୭ ମେ ୧୧ରେ ଉଭୟ ଛାଡ଼ପତ୍ର ନେଇଥିଲେ। ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଏବେ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି ମଲାଇକା। ୨୦୧୯ରେ ସେମାନେ ସମ୍ପର୍କକୁ ଅଫିସିଆଲ୍‌ କରିଛନ୍ତି।

ଫରହାନ୍‌ ଅଖ୍‌ତର:
ତିନି ବର୍ଷ ଧରି ଡେଟ୍‌ କରିବା ପରେ ଅଧୁନା ଭବାନୀଙ୍କୁ ୨୦୦୦ରେ ବିବାହ କରିଥିଲେ ଫରହାନ୍‌। ଉଭୟଙ୍କ ଦୁଇ ଝିଅ ଶାକ୍ୟା ଓ ଅକିରା ଅଛନ୍ତି। ବିବାହର ୧୬ ବର୍ଷ ପରେ ୨୦୧୬ରେ ସେମାନେ ଅଲଗା ହୋଇଯାଇଥିଲେ। ଏବେ ଫରହାନ୍‌ ଶିବାନୀ ଦାଣ୍ଡେକରଙ୍କ ପ୍ରେମରେ। ୨୦୧୮ରୁ ଉଭୟ ଏକାଠି ଅଛନ୍ତି।

ସୈଫ ଅଲ୍ଲି ଖାନ:
୧୯୯୧ ଅକ୍ଟୋବରରେ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ଏହି ଅଭିନେତା। ବିବାହ ପରେ ତାଙ୍କର ଝିଅ ସାରା ଏବଂ ପୁଅ ଇବ୍ରାହିମ୍‌ ଜନ୍ମ ହୋଇଥିଲେ। ହେଲେ ବିବାହର ୧୩ ବର୍ଷ ପରେ ୨୦୦୪ରେ ଉଭୟ ଅଲଗା ହୋଇଯାଇଥିଲେ। ଅମୃତାଙ୍କୁ ଛାଡ଼ପତ୍ର ଦେବା ପରେ ଅଭିନେତ୍ରୀ କରିନା କପୁରଙ୍କୁ ମନ ଦେଇଥିଲେ ସୈଫ। ୫ ବର୍ଷ ଧରି ଡେଟ୍‌ କରିବା ପରେ ସେମାନେ ୨୦୧୨ରେ ବିବାହ କରିଥିଲେ।

ଆମିର ଖାନ୍‌:
୧୯୮୬ ଏପ୍ରିଲ ୧୮ରେ ଆମିର ରିନା ଦତ୍ତାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପୁଅ ଜୁନୈଦ, ଝିଅ ଇରା ଅଛନ୍ତି। ହେଲେ ୨୦୦୨ରେ ସେମାନେ ଅଲଗା ହୋଇଯାଇଥିଲେ। ରୀନାଙ୍କଠାରୁ ଅଲଗା ହେବା ପରେ ୨୦୦୫ ଡିସେମ୍ବର ୨୮ରେ ସେ କିରଣ ରାଓଙ୍କୁ ବିବାହ କରିଛନ୍ତି।

ସେହିଭଳି ଅରବାଜ ଖାନ୍‌-ଜର୍ଜିଆ, କଲ୍‌କି କୋଚଲିନ୍‌-ଗାୟ ହର୍ଷବର୍ଗ, ଅର୍ଜୁନ ରାମପାଲ-ଗାବ୍ରିଏଲା,କରନ୍‌ ସିଂହ ଗ୍ରୋଭର-ବିପାଶା ବସୁ, ପୁଲକିତ ସମ୍ରାଟ-କୃତି ଖରବନ୍ଦା ପ୍ରମୁଖ ପୂର୍ବ ସମ୍ପର୍କକୁ ଭୁଲି ନୂଆ ସମ୍ପର୍କ ଗଢ଼ିଛନ୍ତି।

Share