କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦(ଶିଳ୍ପା ପ୍ରିୟଦର୍ଶିନୀ): ଏଥର କଟକ ବାଲିଯାତ୍ରାରେ ହେବ ବଲିଉଡ୍‌ ନାଇଟ୍‌ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ବାଲିଯାତ୍ରା କଟକ ଉତ୍ସବ ୨୦୨୪ର ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲାପାଳ  କହିଛନ୍ତି, ବାଲିଯାତ୍ରା ପରିଚାଳନା ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ବାଲିଯାତ୍ରାର ଶୁଭାରମ୍ଭ ଭଜନରୁ କରାଯିବ। ବଲିଉଡ୍‌ କଣ୍ଠଶିଳ୍ପୀ ଅନୁପ ଜଲୋଟା ପ୍ରଥମ ଦିନରେ ଭଜନ ପରିବେଷଣ କରିବେ ଏବଂ ତାଙ୍କ ସହ ଓ ଭଜନ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିବେ। ବାଲିଯାତ୍ରାରେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ଓ୍ବାଡ୍‌କର ପୀୟୁଷ ମିଶ୍ରଙ୍କ ସଂଗୀତରେ ତିନିଦିନ ବଲିଉଡ୍‌ ନାଇଟ ମୁଖ୍ୟ ଆକର୍ଷଣ ପାଲଟିବ। ଏହାସହ ହମ୍ସୁଫି ବ୍ୟାଣ୍ଡ୍‌ ସଙ୍ଗୀତ ପରିବେଷଣ କରିବେ। ଓଲିଉଡ୍‌ ଏ-୧ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବେ। ବାଲିଯାତ୍ରାରେ ପ୍ରଥମକରି ମହାନଦୀ ଉପରେ ଶୋ’ କରାଯିବ ଯେଉଁଥିରେ ୩୦୦ରୁ ୫୦୦ ଶୋ’ କରାଯିବ। ଏହାସହ ଲେଜର୍‌ ଶୋ’ ଓ ସବୁଜ ଆତସବାଜି କରାଯିବ।

ଅନ୍ୟପଟେ କଟକ-ଇନ-କଟକ ପରିସରରେ ଓ ଅସ୍ମିତା-ଓ ସିନେମା ପ୍ରଦର୍ଶନ କରାଯିବ। କଟକ-ଇନ୍‌-କଟକ ପରିସରରେ ଏକ ବୁକ୍‌ ଫେୟାର କରାଯିବ। ବାଲିଯାତ୍ରାକୁ ନେଇ ଏକ ସଙ୍ଗୀତ ତିଆରି କରାଯାଉଛି ଏବଂ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହାର ମ୍ୟୁଜିକ୍‌ ବି ଉନ୍ମୋଚନ କରାଯିବ। ବାଲିଯାତ୍ରାର ଉପର ଓ ତଳ ପଡ଼ିଆରେ ସମୁଦାୟ ୧୨୦୦ ଷ୍ଟଲ୍‌ କରାଯିବ। ବାଲିଯାତ୍ରାରେ ନିଲାମ ପ୍ରକ୍ରିୟା ମାଧ୍ୟମରେ ବ୍ୟବସାୟୀମାନଙ୍କୁ ପ୍ଲଟ୍‌ ଆବଣ୍ଟନ କରାଯିବ। ଆବେଦନକାରୀମାନେ ନିଲାମର ସମ୍ପୂର୍ଣ୍ଣ ବିବରଣୀ ପାଇ ପାରିବେ। ଏଥି ନିମନ୍ତେ ଗତ ମଙ୍ଗଳବାର ୧୫ ତାରିଖଠାରୁ ପ୍ଲଟ୍‌ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ ବାରବାଟୀ ପ୍ୟାଲେସ୍‌ଠାରେ ଏହି ପ୍ରକ୍ରିୟା କରାଯାଉଛି ଏବଂ ଆସନ୍ତା ୨୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଚାଲିବ।

ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିଏମ୍‌ସି କମିଶନର ଅନାମ ଚରଣ ପାତ୍ର, ଅତିରିକ୍ତ ଦେବଦତ୍ତ କର, ଅତିରିକ୍ତ ଜିଲାପାଳ ଶିବ ଟେରା, ଅତିରିକ୍ତ ଜିଲାପାଳ ଦିବ୍ୟଲୋଚନ ମହାନ୍ତି, ଉପଜିଲାପାଳ କଟକ-ସଦର ଜ୍ୟୋତିଶଙ୍କର ରାୟ, ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଉପସ୍ଥିତ ଥିଲେ।

Share