ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ

ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ ଜନତା ହୁଅନ୍ତୁ କି ନେତା କିମ୍ବା ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ ପ୍ରସିଦ୍ଧ ଗାୟକ ଏସ୍‌.ପି. ବାଲାସୁବ୍ରମଣ୍ୟମ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବୁଧବାର ଏନେଇ ୭୪ ବର୍ଷୀୟ ବାଲାସୁବ୍ରମଣ୍ୟମ ଫେସ୍‌ବୁକରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ ତାଙ୍କୁ ଜ୍ବର, ଥଣ୍ଡା ହୋଇଥିଲା। ଏହାପରେ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା। ତେବେ ବୁଧବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ରିପୋର୍ଟ ଆସିବା ପରେ ଡାକ୍ତର ତାଙ୍କୁ ଘରେ ହିଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଏବଂ ଔଷଧ ସେବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରିବାର ଲୋକେ ବାଲାସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଅଛି। ଜ୍ବର କମିଯାଇଛି କିନ୍ତୁ ଥଣ୍ଡା, କାଶ ଏବେ ବି ଜାରି ରହିଛି ବୋଲି ଉକ୍ତ ଭିଡ଼ିଓରେ ବାଲାସୁବ୍ରମଣ୍ୟମ କହିଛନ୍ତି।

Share