ଶାହାରୁଖ୍‌ଙ୍କ ଉପରେ ରାଗି ନିଜ ଜିନ୍ସ ଚିରିଦେଇଥିଲେ ସନ୍ନି ଦେଓଲ: ଜାଣନ୍ତୁ କାହିଁକି

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୨ ହେଉଛନ୍ତି ଜନ୍ମଦିନ। ଆଜି ସେ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଶାହାରୁଖ୍‌ଙ୍କ ଏହି ଖାସ୍‌ ଦିନରେ ତାଙ୍କୁ ନେଇ ଏକ ରୋଚକ କଥା ଜାଣିବା।
୧୭ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୯୩ ମସିହାରେ ଶାହାରୁଖ୍‌ ଏବଂ ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଡର୍‌’ ରିଲିଜ୍‌ ହୋଇଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଫିଲ୍ମରେ ସନ୍ନି ହିରୋ ଏବଂ ଶାହାରୁଖ୍‌ଙ୍କୁ ଭିଲେନ ଚରିତ୍ରରେ ଦେଖିବାକୁ ମିଳିଥିଲା। କିନ୍ତୁ ଫିଲ୍ମ ରିଲିଜ୍‌ ହେବା ପରେ ସବୁକିଛି ଓଲଟପାଲଟ ହୋଇଗଲା। ଫିଲ୍ମରେ ହିରୋ ହୋଇଥିଲେ ମଧ୍ୟ ସନ୍ନିଙ୍କ ଚରିତ୍ର ସେତେଟା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରି ନ ଥିଲେ। ଭିଲେନ୍‌ ହୋଇଥିଲେ ମଧ୍ୟ ଫିଲ୍ମରେ ଶାହାରୁଖ୍‌ଙ୍କ ନାମ ସର୍ବାଧିକ ନିଆଯାଇଥିଲା। ଏହା ସନ୍ନିଙ୍କୁ ଆଦୌ ହେଲେ ପସନ୍ଦ ଆସି ନ ଥିଲା। ସନ୍ନି ଅନୁଭବ କରିଥିଲେ ସେ, ଏହି ଫିଲ୍ମରେ ସେ ହିରୋ ଭୂମିକାରେ ଅଭିୟ କରିଥିଲେ ମଧ୍ୟ ଶାହାରୁଖ୍‌ଙ୍କ ଅପେକ୍ଷା ତାଙ୍କ ଚରିତ୍ରକୁ ଦୁର୍ବଳ ଦର୍ଶାଯାଇଥିଲା। ଏହାକୁ ନେଇ ଫିଲ୍ମର ଶୁଟିଂ ସମୟରେ ସନ୍ନି ଏତେ ରାଗିଯାଇଥିଲେ ଯେ, ସେ ନିଜର ଜିନ୍ସ ଚିରି ଦେଇଥିଲେ। ଗତ ବର୍ଷ ଏକ ଟିଭି ଶୋ’ରେ ଶାହାରୁଖ୍‌ଙ୍କ ସହ କାହିଁକି କଥା ହୁଅନ୍ତି ନାହିଁ ବୋଲି ପଚରାଯାଇଥିଲା ଉତ୍ତରରେ ସନ୍ନି ପୂରା ଘଟଣା ବିଷୟରେ କହିଥିଲେ।
ସେ କହିଥିଲେ ଯେ, ଫିଲ୍ମରେ ତାଙ୍କର କମାଣ୍ଡୋ ଭୂମିକା ରହିଥିଲା। ଏକ ଦୃଶ୍ୟରେ ଶାହାରୁଖ୍‌ ତାଙ୍କୁ ଛୁରି ମାରିବାର ଥିଲା। ସେ ଫିଟ୍‌ ଥିଲେ, ତେଣୁ ତାଙ୍କୁ କିଏ ବା କେମିତି ଛୁରି ମାରିପାରିବେ । ଏଥିପାଇଁ ସେ ବହୁତ ରାଗିଯାଇଥିଲେ। ରାଗରେ ନିଜେ ପିନ୍ଧିଥିବା ଜିନ୍ସ ପ୍ୟାଣ୍ଟ ପକେଟରେ ହାତ ପୁରାଇ ତାକୁ ଚିରିଦେଇଥିଲେ। କିନ୍ତୁ ତାହା ସେ ଜାଣିପାରି ନ ଥିଲେ ବୋଲି କହିଥିଲେ। ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଥିବା ସମସ୍ତ ମତଭେଦ ଦୂର ହୋଇଯାଇଥିବା ଜଣାପଡିଛି।

Share