୧୫୦ କୋଟି ବର୍ଷ ତଳେ ସମୁଦ୍ରରେ ବୁଡ଼ି ରହିଥିଲା ବଲିଉଡ୍‌…

ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍‌ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ ନିକଟରେ ଥିବା ୟବତମାଲ ଜିଲାର ବଡ଼ ବଡ଼ ପାହାଡ଼ ଦିନେ ସମୁଦ୍ର ତଳେ ଥିବା ସ୍ଥାନୀୟ ବଣି ଅଞ୍ଚଳରୁ ମିଳିଥିବା କେତେକ ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ଜୀବାଶ୍ମର କାର୍ବନ ଡାଟିଂରୁ ଏହା ଜଣାପଡ଼ିଥିବା ପରିବେଶ ଏବଂ ଭୂଗୋଳ ବିଶେଷଜ୍ଞ ପ୍ରଫେସର ଡ. ସୁରେଶ ଚୋପଣେ ସୂଚନା ଦେଇଛନ୍ତି। ଏହି ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ୧୫୦ କୋଟି ବର୍ଷ ତଳର। ବଣି ଅଞ୍ଚଳର ବୋଡ଼ି ଓ୍ବ ମୋହୁଲି ପରିସରରେ ଥିବା ଚୂନପଥର ଉପରେ ଏହି ଜୀବାଶ୍ମ ରହିଥିବା ସେ କହିଛନ୍ତି। ସେହିପରି ଏଠାକାର କେତେକ ସ୍ଥାନରେ କୋଟି କୋଟି ବର୍ଷ ତଳର ଶଙ୍ଖ, ଶାମୁକା ଆଦିର ଜୀବାଶ୍ମ ମିଳିଛି। ଗତ ୨ ବର୍ଷ ଧରି ଚୋପଣେ ଏହି ଜୀବାଶ୍ମର ସନ୍ଧାନ କରୁଛନ୍ତି। ଏଭଳି ଜୀବାଶ୍ମ ରାଜସ୍ଥାନର ଭୋଜୁଦା, ମଧ୍ୟପ୍ରଦେଶର ଚିତ୍ରକୂଟ, ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ମିଳିଥିବା ସେ କହିଛନ୍ତି। ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ସ୍ତରୀଭୂତ ଶିଳାରେ କାଳକ୍ରମେ ଜମା ହୋଇଥାଏ। ଏଥିରୁ ଜଣାପଡୁଛି ଯେ ସମଗ୍ର ଅଞ୍ଚଳ ଦିନେ ସମୁଦ୍ରର ଅଥଳ ଗର୍ଭରେ ବୁଡ଼ି ରହିଥିଲା। ଏନେଇ ସୁରେଶ ଚୋପଣେ ଅଧିକ ଗବେଷଣା ଜାରି ରଖିଛନ୍ତି।

Share