ବଲିଉଡ୍‌ର ପ୍ରଥମ ‘ଗ୍ଲାମର ଗର୍ଲ’

ମୁମ୍ବାଇ: ଆଜିର ସମୟରେ, ବଲିଉଡ୍‌ ଅଭିନେତ୍ରୀମାନଙ୍କ ପାଇଁ ବୋଲ୍ଡ ଫଟୋଶୁଟ୍‌ ଏକ ସାଧାରଣ କଥା। ଇଣ୍ଟରନେଟ୍‌ ଯୁଗରେ ନିଜ ନିଜର ସୋସିଆଲ ମିଡିଆରେ ସାଇଟ୍‌ରେ ବୋଲ୍ଡ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ସବୁ ଜିନିଷ ଅତି ସାଧାରଣ ହୋଇଗଲାଣି। ଯଦି ଆମେ ୪୦-୫୦ ବର୍ଷ ପୂର୍ବକୁ ଫେରିଯିବା, ତେବେ ସେହି ଦିନଗୁଡ଼ିକରେ ଏହା ଏକ ବଡ଼ କଥା ଥିଲା। ଏହି ସମୟରେ ଝିଅମାନଙ୍କ ପାଇଁ ଫିଲ୍ମରେ କାମ କରିବା ଏକ ବଡ଼ କଥା ଥିଲା। ସେହି ସମୟରେ ପ୍ରସିଦ୍ଧ ଅଭିନେତ୍ରୀ ‘ବେଗମ ପାରା’ ଏକ ବୋଲ୍ଡ ଫଟୋଶୁଟ୍‌ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ଆଜିର ଯୁବପିଢ଼ି ହୁଏତ ବେଗମ ପାରାଙ୍କ ନାମ ସହିତ ପରିଚିତ ନ ଥିବେ। ଯିଏ କି ବଲିଉଡ୍‌ର ପ୍ରଥମ ‘ଗ୍ଲାମର ଗର୍ଲ’ ଭାବରେ ଜଣାଶୁଣା। ଯଦିଓ ଅଭିନେତ୍ରୀ ଏହି ଦୁନିଆରୁ ବିଦାୟ ନେଇ ଯାଇଛନ୍ତି, ତଥାପି ତାଙ୍କ ସ୍ମୃତି ପ୍ରଶଂସକଙ୍କ ହୃଦୟରେ ରହିଯାଇଛି। ବେଗମ ପାରା ୨୫ ଡିସେମ୍ବର ୧୯୨୬ରେ ପଞ୍ଜାବର ଜେଲୁମରେ ଜନ୍ମଗ୍ରହଣ କରିଥିଲେ। ଯାହା ପରେ ବ୍ରିଟିଶ ଭାରତ ଏବଂ ବର୍ତ୍ତମାନର ପାକିସ୍ତାନରେ ଆସିଥାଏ।

‘ସୋହନୀ ମହୀଓ୍ବାଲ’, ‘ନୀଲ କମଲ’ ଏବଂ ‘ଲୈଲା ମଜୁନ’ ଭଳି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ପ୍ରଦର୍ଶନ କରି ବେଗମ ପାରା ଇଣ୍ଡଷ୍ଟ୍ରିରେ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଲୋକମାନେ ତାଙ୍କୁ ନେଇ ଏତେ ପାଗଳ ଥିଲେ ଯେ, ସକାଳେ ଆସି ତାଙ୍କ ଘର ସାମ୍ନାରେ ଠିଆ ହେଉଥିଲେ। ତାଙ୍କର ଟିକିଏ ଝଲକ ପାଇବା ପାଇଁ। ଏହା ପରେ ବେଗମ ଏକ ମାଗାଜିନ ପାଇଁ ବୋଲ୍ଡ ଫଟୋ ଶୁଟ୍‌ କରିଥିଲେ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା।

ଫଟୋଶୁଟ୍‌ ପରେ ତାଙ୍କୁ ବଲିଉଡ୍‌ର ‘ଗ୍ଲାର୍ମର ଗର୍ଲ’ ନାଁରେ ଡକାଯାଉଥିଲା। ସେତେବେଳେ ଝିଅମାନେ ଶୀଘ୍ର ବିବାହ କରୁଥିଲେ। ବେଗମ ପାରା ମଧ୍ୟ ଅଳ୍ପ ବୟସରେ ବିବାହ କରିଥିଲେ। ସେ ବଲିଉଡ୍‌ର ଭେଟେରାନ ସ୍ବର୍ଗତ ଅଭିନେତା ଦିଲୀପ କୁମାରଙ୍କ ସାନଭାଇ ନାସିର ଖାନଙ୍କୁ ବିବାହ କରିଥିଲେ। ଯିଏ କି ସେ ସମୟରେ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ବେଗମ ପାରାଙ୍କ ପିତା ମିୟାନ ଏହସାନ-ଉଲ-ହକ୍‌ ଜଳନ୍ଧରରୁ ଜଣେ ବିଚାରପତି ଥିଲେ। ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି ହୋଇଥିଲେ।

୧୯୭୪ରେ ତାଙ୍କ ସ୍ବାମୀ ନାସିରଙ୍କ ଦେହାନ୍ତ ପରେ ବେଗମ ପାରା ୧୯୭୫ରେ ପରିବାର ସହିତ ରହିବାକୁ ପାକିସ୍ତାନ ଯାଇଥିଲେ, ଦୁଇ ବର୍ଷ ପରେ ଭାରତ ଫେରିଥିଲେ।

Share