Categories: ବାଣିଜ୍ୟ

ବିଓଏମ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୮।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଶେଷ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ କାରବାର ସମ୍ପର୍କିତ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ଋଣ ଓ ଜମା ଅଭିବୃଦ୍ଧି କ୍ଷେତ୍ରରେ ବିଓଏମ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ରୂପେ ପରିଗଣିତ ହୋଇଛି। ଅପରପକ୍ଷରେ ପୁଣେସ୍ଥିତ ବିଓଏମ୍‌ର ମୁଖ୍ୟାଳୟର ସୂଚନା ଅନୁସାରେ ବ୍ୟାଙ୍କ ଜମା ଓ ଅଗ୍ରିମ କ୍ଷେତ୍ରରେ ୨୦% ଅଭିବୃଦ୍ଧି ହାର ହାସଲକରି ୨ୟ ତ୍ରୈମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରେ ସବୁଠାରୁ ଶୀର୍ଷ ସ୍ଥାନ ହାସଲ କରିପାରିଛି। ଏପରିକି ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ତାଲିକାରେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଘରୋଇ ଗ୍ରସ୍‌ ଅଗ୍ରିମ କ୍ଷେତ୍ରରେ ବ୍ୟାଙ୍କ ୨୩.୫୫% ଅଭିବୃଦ୍ଧି ହାରରେ ୧,୮୩,୧୨୨ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିଭଳି ଜମା ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କର ୨୨.୧୮% ଅଭିବୃଦ୍ଧି ଘଟିଥିଲାବେଳେ ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ୨,୩୯,୨୯୮ କୋଟି ଟଙ୍କା ସଂଗ୍ରହ କରିପାରିଛି। ଏପରିକି ସ୍ବଳ୍ପ ମୂଲ୍ୟରେ ଚଳନ୍ତି ଖାତା ଏବଂ ସଞ୍ଚୟ ଖାତା (କାସା) ଜମା କ୍ଷେତ୍ରରେ ୫୦.୭୧% ହାରରେ ବ୍ୟାଙ୍କ ଶୀର୍ଷ ସ୍ଥାନ ବଜାୟ ରଖିଛି। ସେହିପରି ବ୍ୟାଙ୍କର ମୋଟ୍‌ ବ୍ୟବସାୟିକ ଅଭିବୃଦ୍ଧି ୨୨.୭୭% ବୃଦ୍ଧି ପାଇ ସର୍ବାଧିକ ୪,୨୨,୪୨୦ କୋଟି ଟଙ୍କାରେ ପହଞ୍ଚତ୍ଛି।

Share