Advertisement

ଔଷଧ ଦୋକାନୀଙ୍କୁ ବୋମା ମାଡ଼ ଘଟଣା: ଫେରାର ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଲକ୍ଷ୍ୟକରି ତାଙ୍କ ଔଷଧ ଦୋକାନ ଉପରକୁ ରବିବାର ସାରେ ବୋମା ମାଡ଼ କରାଯାଇଥିଲା। ଏହି ଘଟଣାର ମାଷ୍ଟର ମାଇଣ୍ଡ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର ଶିବା ରେଡ୍ଡୀ ଏବଂ ତାଙ୍କ ସହଯୋଗୀ ଏଚ. ଚିନ୍ତାମଣି ରେଡ୍ଡୀ ଙ୍କୁ ଥାନା ମାମଲା ନଂ.୯୯/୨୫ ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଜଣାଇଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଘଟଣା ଦିନ ଏକ ବାଇକରେ ୩ ଦୁର୍ବୃତ୍ତ ଆସି ଦୋକାନ ଉପରକୁ ଲଗାତର ୩ ଟି ବୋମା ଫିଙ୍ଗି ଦୃତଗତି ରେ ଚାଲିଯାଇଥିଲେ। ୨ ଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟି ନ ଥିଲା। ଏହି ବୋମା ମାଡ଼ରେ ପ୍ରହଲ୍ଲାଦ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଦୋକାନର କ୍ୟାସ କାଉଣ୍ଟର ସହ କିଛି ପରିମାଣର ଔଷଧ ଜଳି ଯାଇଥିଲା।

ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମା, ଅଧା ପୋଡ଼ା ସୁତୁଲି, ବୋମାରେ ବ୍ୟବହୃତ ଗନ ପାଉଡର ଲାଗିଥିବା ଗୋଡି, କାଚ ଖଣ୍ଡ, ଜଳିଯାଇଥିବା କିଛି ଔଷଧକୁ ଜବତ କରିବା ସହ ସବିଶେଷ ତଦନ୍ତ କରି ଫେରିଥିଲେ। କିଛି ଦିନ ପୂର୍ବେ ହାଇସ୍କୁଲରେ ଜଣେ ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭିଡିଓ ଉତ୍ତୋଳନ କରି ପରେ ତାକୁ ଭାଇରାଲ କରାଯାଇଥିବା ଘଟଣାରେ ଗତ ଫେବୃଆରୀ ୩ ତାରିଖରେ କିଛି ଗ୍ରାମବାସୀଙ୍କ ସହ ପ୍ରହଲ୍ଲାଦ ଥାନାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ।
ଏତଲାକୁ ଭିତ୍ତିକରି ଆଇଆଇସି ଥାନା ମାମଲା ନଂ.୫୨/୨୫ ଅନୁଯାୟ ମକଦ୍ଦମା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଶିବା ରେଡ୍ଡୀଙ୍କୁ ଗିରଫ ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲେ। ଚଢାଉ ପୂର୍ବରୁ ସୂଚନା ପାଇ ଶିବା ଫେରାର ହୋଇଯାଇଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ ଦୋରା ୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଔଷଧ ଦୋକାନୀ ପ୍ରହଲ୍ଲାଦଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଶିବା ତାଙ୍କ ଅନ୍ୟ ୨ ସହଯୋଗୀଙ୍କୁ ନେଇ ଘଟଣା ଦିନ ଫେରାର ହୋଇଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel