ସରପଞ୍ଚ ପ୍ରାର୍ଥୀଙ୍କ ଘର ପଛ ପଟେ ଫୁଟିଲା ବୋମା

ପୁରୀ ଅଫିସ,୨୮।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭରୁ ହିଁ ପୁରୀ ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଲାଣି। ଗୋପ ଓ ପୁରୀ ଚନ୍ଦନପୁର ପରେ ଗୁରୁବାର ସଦର ଥାନା ଅଧୀନ କାଶୀହରିପୁର ପଞ୍ଚାୟତ ଚାରିନଳା ଗ୍ରାମସ୍ଥିତ ବସନ୍ତେଇ ଠାକୁରାଣୀଙ୍କ ମନ୍ଦିର ନିକଟସ୍ଥ ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ବୋମା ବିସ୍ଫୋରଣ ହୋଇଛି। ତେବେ ସେଠାରେ ପୂର୍ବରୁ ବୋମା ରଖାଯାଇଥିଲା ନା ଫିଙ୍ଗାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଟିମ୍‌ ଓ ବମ୍‌ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛି। ସେଠାରୁ ଏକ ଜୀବନ୍ତ ବୋମା ଜବତ କରାଯାଇଛି। ଏନେଇ କେସ୍‌ ନଂ. ୩୭/୨୦୨୨ ରୁଜୁ ହୋଇଛି। ସଦର ଥାନା ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ରାଜନୈତିକ ଆକ୍ରୋଶରୁ କେହି ପୂର୍ବରୁ ସେଠାରେ ବୋମା ରଖିଥିବା ଅନୁମାନ କରାଯାଉଛି। ମୁକ୍ତିକାନ୍ତ ବିଜେଡି ସମର୍ଥିତ ପ୍ରାର୍ଥୀ ବୋଲି ଜଣାପଡ଼ିଛି। ମୁକ୍ତିକାନ୍ତ କହିଛନ୍ତି, ଠାକୁରଙ୍କ ପୂଜାର୍ଚ୍ଚନା କରୁଥିବାବେଳେ ବାରିପଟେ ଏକ ଜୋର୍‌ ବିସ୍ଫୋରଣ ହୋଇଥିଲା। ବୋମା ବିସ୍ଫୋରଣ ହୋଇଥିବା ଜାଣିବା ପରେ ପୋଲିସକୁ ଖବର ଦିଆଯାଇଥିଲା।

Share