Categories: ଜାତୀୟ

ଭାଜପା ଏମ୍‌ପିଙ୍କ ଘର ସମ୍ମୁଖରେ ବୋମା ବିସ୍ଫୋରଣ..

କୋଲକାତା,୮।୯: ପଶ୍ଚିମବଙ୍ଗରେ ଭାଜପା ଏମ୍‌ପି ଅର୍ଜୁନ ସିଂଙ୍କ ଘର ସମ୍ମୁଖରେ ବୋମା ବିସ୍ଫୋରଣ ଘଟିଛି। ବୁଧବାର ସକାଳେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଆଖପାଖ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ରାଜ୍ୟପାଳ ଜଗଦୀପ୍‌ ଧନଖର ଏସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେବା ସହିତ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣ ସମୟରେ ଅର୍ଜୁନ ଘରେ ନ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।

ଏନେଇ ଅର୍ଜୁନ କହିଛନ୍ତି ଯେ, ରାଜ୍ୟ ଉପ ନିର୍ବାଚନ ପାଇଁ ତାଙ୍କୁ ଭବାନୀପୁର ଇନଚାର୍ଜ ଦାୟିତ୍ୱ ପ୍ରଦାନ କରାଯାଇଛି। ତେଣୁ ନିର୍ବାଚନ ପୂର୍ବରୁ ତାଙ୍କୁ ହତ୍ୟା କରିବାର ଉଦ୍ୟମ ହେଉଛି। ଏହାର ତଦନ୍ତ ରାଜ୍ୟ ସରକାର କରିବେ ଏବଂ ଶେଷରେ ମାମଲାକୁ ରଫ-ଦଫା କରିଦେବେ। ଏନେଇ କୌଣସି ଏଫ୍‌ଆଇଆର୍‌ ହେବ ନାହିଁ ଅବା ଚାର୍ଜଶିଟ୍‌ ମଧ୍ୟ ଦାଖଲ କରାଯିବ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।

Share