ପେଶାୱର ମସ୍‌ଜିଦରେ ଆତ୍ମଘାତୀ ଆକ୍ରମଣ: ବିସ୍ଫୋରଣରେ ୪୬ମୃତ

ଇସ୍‌ଲାମାବାଦ,୪।୩: ପାକିସ୍ତାନର ଏକ ମସ୍‌ଜିଦ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶୁକ୍ରବାର ପେଶୱାର ମସ୍‌ଜିଦରେ ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିିଛି। ସୂଚନାଯୋଗ୍ୟ, କୋଚା ରିସାଲଦର ଅଞ୍ଚଳର କିସା ଖ୍ବାନି ବଜାର ସ୍ଥିତ ଏକ ମସ୍‌ଜିଦରେ ଶୁକ୍ରବାର ପ୍ରାର୍ଥନା ଚାଲିଥିବା ବେଳେ ହଠାତ୍‌ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ୪୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ। ଖବର ପାଇବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଆହତଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଉଦ୍ଧାରକାରୀ ଦଳ ଆଖପାଖ ଲୋକମାନେ ମଧ୍ୟ ଆହତମାନଙ୍କୁ ସାହାଯ୍ୟ କରିଥିଲେ। ତେବେ ୫୦ ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ଓ ସୁରକ୍ଷାବାହିନୀ ଆଖପାଖ ଅଞ୍ଚଳକୁ ଖାଲି କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ୨ଜଣ ଆକ୍ରମଣକାରୀ ସମ୍ପୃକ୍ତ ଥିବା ନେଇ ପେଶାଓ୍ବର ପୋଲିସ ସୂଚନା ଦେଇଛି। ପ୍ରଥମେ ଉଭୟ ମସ୍‌ଜିଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ତା’ପରେ ତାଙ୍କୁ ଅଟକାଇବା ପରେ ପୋଲିସ ଗୁଳି ଚଳାଇଥିଲା। ବିସ୍ଫୋରଣ ପୂର୍ବରୁ ଘଟିଥିବା ଗୁଳି ବିନିମୟରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରତିକ୍ରିୟା ଦେଇଛନ୍ତି। ଏହି ଆକ୍ରମଣକୁ ଇମ୍ରାନ ନିନ୍ଦା କରିଛନ୍ତି। ସେହିପରି ପେଶାୱର ମୁଖ୍ୟମନ୍ତ୍ରୀ ମେହମୁଦ ଖାନ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ପେଶାୱରର ଆଇଜିପିଙ୍କୁ ଏନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ସୂଚନା ମୁତାବକ, ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନ ଥିବା ଜଣାପଡ଼ିଛି।

Share