ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଣେ ଭାଜପା ନେତ୍ରୀଙ୍କ କାର୍କୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଜିଲା ଭାଜପା କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ ଦୁର୍ବୃତ୍ତ ଜାଳି ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ନୟାପଲ୍ଲୀ ବ୍ରିଟ୍ କଲୋନୀସ୍ଥିତ ତାଙ୍କ ଘର ଆଗରେ ଏହି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ତନାଘନା କରୁଛି ପୋଲିସ। ମଙ୍ଗଳବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ତେବେ କିଏ ବୋମାମାଡ଼ କଲା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ।
ଅନ୍ୟପକ୍ଷରେ ମିନତୀଙ୍କ ସ୍ବାମୀ କହିଛନ୍ତି, ଆମର କାହା ସହ ଶତ୍ରୁତା ନାହିଁ। ଆମେ ଥାନାରେ ଅଭିଯୋଗ କରିଛୁ। ପୋଲିସ ଘଟଣାସ୍ଥଳରୁ କିଛି ଅଫୁଟା ବୋମା ଜବତ କରିଛି।