ଆକାଶରୁ ବୋମା ବର୍ଷା

କ୍ୱିଭ୍‌/ମସ୍କୋ,୫ା୩: ଆକାଶରୁ ତୁହାକୁ ତୁହା ବର୍ଷୁଛି ବୋମା। ରାଜରାସ୍ତାରେ ଫୁଟୁଛି ଗୁଳି। ବଡ଼ ବଡ଼ ଆପାର୍ଟମେଣ୍ଟ ଓ ସରକାରୀ ବିଲ୍ଡିଂଗୁଡ଼ିକୁ ରକେଟ ମାଡ଼ କରି ଧରାଶାୟୀ କରିବାରେ ଲାଗିଛି ରୁଷିଆ ସେନା। ମୃତାହତଙ୍କ ସଂଖ୍ୟା କେବଳ ଅନୁମାନ ମାତ୍ର। ପ୍ରକୃତ ସଂଖ୍ୟାର ହିସାବ କାହା ପାଖରେ ନାହିଁ। ସବୁଠି ଶୁଭୁଛି କ୍ରନ୍ଦନରୋଳ। ମହିଳା ଓ ଶିଶୁମାନେ ପ୍ରାଣ ବିକଳରେ ଦେଶରୁ ପଳାୟନ କରିବାରେ ଲାଗିଥିବାବେଳେ ପୁରୁଷମାନେ ଘର ଜଗିଛନ୍ତି। ଏହା ହେଉଛି ଯୁଦ୍ଧ ପ୍ରଭାବିତ ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ର ସଦ୍ୟ ବିକଳ ଚିତ୍ର।
ପକ୍ଷରୁ ଆକ୍ରମଣର ନବମ ଦିନରେ ଛାରଖାର ହୋଇଯାଇଛି ୟୁକ୍ରେନ୍‌। ଶୁକ୍ରବାର ୟୁକ୍ରେନ୍‌ ଉତ୍ତରାଞ୍ଚଳରେ ଥିବା ଚେର୍ନିହିଭ୍‌ ସହରରେ ରୁଷୀୟ ସୈନ୍ୟଙ୍କ ବର୍ବରତା ସୀମା ଲଂଘିଛି। ଆବାସିକ କୋଠା, ସ୍କୁଲ, ଚର୍ଚ୍ଚ କାହାକୁ ବି ଛାଡ଼ିନାହାନ୍ତି ସେମାନେ। ଆକ୍ରମଣରେ କେବଳ ଏହି ସହରରେ ଏକ ଏୟାର ଷ୍ଟ୍ରାଇକ୍‌ରେ ୪୭ ନିରୀହ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ବୋରୋଡ୍‌ୟାଙ୍କା ଓ ଖର୍କିଭ୍‌ରେ ମଧ୍ୟ ଅନୁରୂପ ଆକ୍ରମଣ ଜାରି ରହିଛି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ସହର ମାରିଉପୋଲକୁ ଦଖଲ କରିବା ପାଇଁ ରୁଷୀୟ ସୈନ୍ୟ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ରୁଷିଆ ସେନା ୟୁକ୍ରେନ୍‌ର ପୂର୍ବ, ଉତ୍ତର ଓ ଦକ୍ଷିଣ ତିନିପଟୁ ଘେରିରହିଥିବାବେଳେ ୟୁକ୍ରେନୀୟ ସୈନ୍ୟ ସେମାନଙ୍କୁ ଜବାବ ଦେଉଛନ୍ତି। କେବଳ ଖେରିସୋନ୍‌ ସହରକୁ ରୁଷିଆ ଦଖଲ କରିଥିବା କ୍ୱିଭ୍‌ ଦାବି କରିଛି। ଇତିମଧ୍ୟରେ ରୁଷିଆରେ ଏକ ନୂଆ ଆଇନ ଅଣାଯାଇଛି। ସେନା ସମ୍ପର୍କରେ ଅପପ୍ରଚାର କଲେ ଦଣ୍ଡ ଦିଆଯିବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ରୁଷିଆ ଉପରେ ଅତିରିକ୍ତ କଟକଣା ଲଗାଇ ସ୍ଥିତି ଖରାପ ନ କରିବାକୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଚେତାବନୀ ଦେଇଛନ୍ତି। ଜର୍ମାନ ବ୍ରୋଡକାଷ୍ଟର ଡିଡବ୍ଲ୍ୟୁ ଉପରେ ରୁଷିଆ କଟକଣା ଜାରି କରିଛି।

‘ରୁଷିଆର ଆଣବିକ ଆତଙ୍କବାଦ’

ରୁଷିଆ ସୈନ୍ୟମାନେ ଜେପୋରିଝିଆ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ କରି ଏହାକୁ ଦଖଲ କରିନେଇଛନ୍ତି। ଏହି ପଦକ୍ଷେପକୁ ୟୁକ୍ରେନ୍‌ ଶକ୍ତିମନ୍ତ୍ରୀ ଜର୍ମାନ ଗଲୁସ୍କେଚେଙ୍କୋ ପ୍ରକୃତ ଆଣବିକ ଆତଙ୍କବାଦ ଭାବେ ଅଭିହିତ କରି ଦୃଢ଼ ନିନ୍ଦା କରିଛନ୍ତି। ଶକ୍ତିମନ୍ତ୍ରୀ କହିଛନ୍ତି, ରୁଷୀୟ ସୈନ୍ୟ ଷ୍ଟେଶନକୁ ପ୍ରତ୍ୟକ୍ଷ ଭାବେ ଆକ୍ରମଣ କରିଥିଲେ। ସୈନ୍ୟମାନେ କ’ଣ କରୁଥିଲେ ତାହା ସେମାନଙ୍କୁ ଜଣାଥିଲା। ଉକ୍ତ ପ୍ଲାଣ୍ଟ ନିକଟରେ ଲଢ଼େଇ ଜାରି ରହିଲେ ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ସ୍ଥିତି ଆହୁରି ଜଟିଳ ହୋଇଯିବ। ଏହା ସାରା ବିଶ୍ୱ ପାଇଁ ସୁରକ୍ଷାର ପ୍ରଶ୍ନ। ତେଣୁ ୟୁକ୍ରେନ୍‌ ଉପରେ ରୁଷିଆର ଯୁଦ୍ଧବିମାନ ଉଡ଼ାଣକୁ ରୋକିବା ପାଇଁ ‘ନୋ ଫ୍ଲାଏ ଜୋନ୍‌’ଘୋଷଣା କରାଯାଉ। ଆମେ ୟୁକ୍ରେନ୍‌ ଆକାଶକୁ ସୁରକ୍ଷିତ ରଖିବା ପାଇଁ ବନ୍ଦ କରିବାକୁ ଚାହୁଁ।

Share