ବିଧାୟକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୋମା

ତାଳଚେର,୨ା୯(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କାର୍ଯ୍ୟାଳୟ ସମ୍ମୁଖରୁ ଶୁକ୍ରବାର ବିକ୍ରମପୁର ପୋଲିସ ଏକ ବୋମା ଉଦ୍ଧାର କରିଛି। ସୂଚନା ଅନୁସାରେ, ସକାଳେ ବିଧାୟକଙ୍କ କେତେଜଣ ସହଯୋଗୀ ଭରତପୁରସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୋମା ରହିଥିବା ଦେଖି ତୁରନ୍ତ ବିଧାୟକଙ୍କୁ ଜଣାଇଥିଲେ। ଏ ନେଇ ବିଧାୟକ ଥାନାକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଉକ୍ତ ଅଞ୍ଚଳକୁ ସିଲ୍‌ କରିଥିଲା। ପରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା। ଅନୁଗୋଳରୁ ଏକ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ବୋମାଟିକୁ ଉଦ୍ଧାର କରିଥିଲେ। ପରେ ଏହାକୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଲାବରେଟୋରିକୁ ପଠାଯାଇଥିଲା। ଏ ସମ୍ପର୍କରେ ତାଳଚେର ଏସ୍‌ପିଡିଓ ମାନସ ବାରିକ କହିଛନ୍ତି, ବୋମା ନିଷ୍କ୍ରିୟକାରୀ ଦଳ ବୋମାକୁ ନିଷ୍କ୍ରିୟ କରିଦେଇଛନ୍ତି। ଏବେ ଅଞ୍ଚଳ ସୁରକ୍ଷିତ ରହିଛି। ପରୀକ୍ଷା ପରେ ବିସ୍ଫୋରକ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ। ଏ ନେଇ ବିଧାୟକ ପ୍ରଧାନ କହିଛନ୍ତି, କେତେକ କୁଚକ୍ରି ଗୋଷ୍ଠୀ ଏଭଳି କାମ କରିଛନ୍ତି।