Categories: Uncategorized

ଦେଶରେ ଏସବୁ କ’ଣ ହେଉଛି? ୨ ମାସରେ୨୦୦ ଥର ବୋମା ଧମକ ମିଳିଲାଣି, ଅଭିଯୁକ୍ତଙ୍କ ଟେର୍‌ ପାଉନି ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୧୯।୬: ଗତ ଦୁଇ ମାସ ମଧ୍ୟରେ ପ୍ରୋକ୍ସି ଡୋମେନ ସର୍ଭର ଏବଂ ଭିପିଏନ୍‌ ଉପଯୋଗ କରି ଇମେଲ ଜରିଆରେ ବୋମା ଧମକ ପଠାଇବା ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାରୀଙ୍କ ମୁତାବକ ତାଙ୍କୁ ୨୦୦ରୁ ଅଧିକ ଏଭଳି ଧମକପୂର୍ଣ୍ଣ ଇମେଲ ମିଳିଛି, ଯାହାକି ପୋଲିସ ବିଭାଗ, ହୋଟେଲ, ହସ୍ପିଟାଲ, କଲେଜ, ବିମାନବନ୍ଦର ଏବଂ ସ୍କୁଲ ସମେତ ଅନେକ ସଂସ୍ଥାକୁ ପ୍ରଭାବିତ କରିଛି। ବିଶେଷକରି ଦିଲ୍ଲୀ, ବାଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ସହରକୁ ଟାର୍ଗେଟ କରାଯାଉଛି।

ଚଳିତ ବର୍ଷ ମେ’ ୧ ସକାଳ ୪ଟାରୁ ୬ ମଧ୍ୟରେ ଦିଲ୍ଲୀ ଏବଂ ଏନ୍‌ସିଆର୍‌ର ୧୨୦ରୁ ଅଧିକ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଥିଲା। ପ୍ରେରକ ଏକ ରୁଷୀୟ ଡୋମେନ ସେବା @mail.ru ବ୍ୟବହାର କରିଥିଲେ। ପରେ ମେ’ ୧୨ରେ ଅଜ୍ଞାତ ପ୍ରେରକ ଭିନ୍ନ ଡୋମେନ୍‌ ଆଇଡି @beeble.com ବ୍ୟବହାର କରି ଦିଲ୍ଲୀ, ଉତ୍ତର ରେଳ ଏବଂ ଦିଲ୍ଲୀ ବିମାନବନ୍ଦର ସହ ୧୫ ଡାକ୍ତରଖାନାକୁ ବୋମା ଧମକ ଥିବା ଇମେଲ ପଠାଇଥିଲେ। ଏହିଭଳି ଭାବେ ଗତବର୍ଷ ଡିସେମ୍ବରରେ ବାଙ୍ଗାଲୁରୁର ୭୦ ସ୍କୁଲକୁ ଉକ୍ତ ଡୋମେନରୁ ଇମେଲ ମିଳିଥିଲା।

ଘଟଣାକୁ ଗମ୍ଭୀରତାକୁ ଦେଖି ଗୃହ ମନ୍ତ୍ରଣାଳୟ ଏକ ବୈଠକ ଡାକିଥିଲେ, ଯେଉଁଥିରେ ଦିଲ୍ଲୀ ପୋଲିସ କମିଶନରଙ୍କୁ ଏଭଳି ଧମକପୂର୍ଣ୍ଣ ଇମେଲର ପ୍ରତିକାର ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।
ମେ’ ୧ରେ ୧୦୦ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା। ଏଥିସହ ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତଙ୍କ ପରିଚୟ ପାଇବାରେ କୌଣସି ସଫଳତା ମିଳି ନ ଥିଲା। କାରଣ ପ୍ରେରକ ନିଜ ବିଷୟରେ ସମସ୍ତ ସୂଚନାକୁ ଗୋପନ ରଖିବାକୁ ଉପାୟ କରିଥିଲେ। ତେବେ ଏସବୁ ଘଟଣା ପଛରେ କାହାର ପିଲାଳିଆମି ନୁହେଁ ବରଂ ବଡ଼ ଉଦ୍ଦେଶ୍ୟ ଥିବା ଚର୍ଚ୍ଚା ହେଉଛି।