ବୋମା ରଖାଯାଇଥିବା ଧମକ, ଜରୁରୀ ଅବତରଣ କଲା ବିମାନ…

ଟୋକିଓ,୭।୧ : ବିମାନରେ ବୋମା ରଖାଯାଇଥିବା ଏକ ଅନ୍ତର୍ଜାତୀୟ କଲ୍‌ ମିଳିବା ପରେ ଜାପାନର ବିମାନ ଜରୁରୀ ଅବତରଣ କରିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଜାପାନ ବ୍ରଡକାଷ୍ଟିଂ କର୍ପୋରେଶନ ଏନଏଚକେ କହିଛି ଯେ ବିମାନଟି ଶନିବାର ଟୋକିଓର ନରିତା ବିମାନବନ୍ଦରରୁ ଫୁକୁଓକାକୁ ଯାଉଥିଲା ।

କେହି ଜଣେ ବିମାନରେ ବୋମା ରଖିଥିବାର ଖବର ଦେଇଥିଲେ। ବୋମା ବିଷୟରେ ସୂଚନା ପାଇବା ପରେ ବିମାନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହା ପରେ ବିମାନଟି ଚୁବୁ ବିମାନ ବନ୍ଦରକୁ ପଠାଯାଇଥିଲା। ଏହା ପରେ ସମସ୍ତ ୧୩୬ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ବିମାନରୁ ସୁରକ୍ଷିତ ବାହାର କରାଯାଇଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ବିମାନର କାର୍ଗୋ ହୋଲ୍ଡରେ ୧୦୦ କିଲୋଗ୍ରାମ ବିସ୍ଫୋରକ ଥିବା ଦାବି କରି ମ୍ୟାନେଜରଙ୍କ ସହ କଥା ହେବାକୁ ଦାବି କରିଥିଲେ। ବ୍ୟକ୍ତି ଜଣକ କହିଥିଲେ ଯଦି ମ୍ୟାନେଜରଙ୍କ ସହ କଥା ନହୁଅନ୍ତି ତେବେ ସେ ବିସ୍ଫୋରଣ କରିବେ।

ତେବେ ବିମାନରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିବା ଏନଏଚକେ କହିଛି। ଅବତରଣ ସମୟରେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିଲେ।

Share