Categories: ଜାତୀୟ

୬ ଦିନରେ ୭୦ରୁ ଅଧିକ ବିମାନକୁ ଦିଆଗଲାଣି ବୋମା ଧମକ, ଏଥିରେ ରହିଛି…

ନୂଆଦିଲ୍ଲୀ,୧୯ା୧୦: ଏୟାରଲାଇନ୍‌ ପ୍ରତି ବିପଦ ବଢୁଛି। କିଛିଦିନ ଧରି ଲଗାତର ବିମାନକୁ ବୋମା ଧମକ ମିଳୁଛି। ଶନିବାର ୫ଟି ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ବି ମିଳିଛି। ଆକାସା ଏୟାରଲାଇନ୍ସର ୫ ବିମାନକୁ ମଧ୍ୟ ବୋମା ଧମକ ଦିଆଯାଇଛି। ଇଣ୍ଡିଗୋ କହିଛି, ମୁମ୍ବାଇରୁ ଇସ୍ତାନବୁଲ ପର୍ଯ୍ୟନ୍ତ ବିମାନ ନମ୍ବର 6E-17 ସହ ଜଡ଼ିତ ପରିସ୍ଥିତି ବିଷୟରେ ଅବଗତ ଅଛି।

ଏହାପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳିଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ IX-196ରେ ଇମେଲ ମାଧ୍ୟମରେ ଏକ ବୋମା ଧମକ ମିଳିଥିଲା, ଯେଉଁଥିରେ ୧୮୯ ଜଣ ଯାତ୍ରୀ ଥିଲେ। ଏହି ବିମାନଟି ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ରାତି ୧:୨୦ରେ ଅବତରଣ କରିଥିଲା। ତେବେ ବିମାନର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ କୌଣସି ସନ୍ଦେହଜନକ ସାମଗ୍ରୀ କିମ୍ବା ତଥ୍ୟ ମିଳି ନ ଥିଲା।

ଏହାପୂର୍ବରୁ ତିନୋଟି ଅନ୍ତର୍ଜାତୀୟ ବିମାନରେ ବୋମା ଧମକ ମିଳିଥିଲା, ଯାହା ପରେ ମିଥ୍ୟା ହୋଇଥଲା। ସତର୍କତା ଅବଲମ୍ବନ କରି ଏକ ବିମାନ ଫ୍ରାଙ୍କଫର୍ଟକୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରୁ ଉଡ଼ାଣ କରିବାକୁ ଥିବା ୩ଟି ବିମାନ ସୁରକ୍ଷା ପ୍ରତି ଶୁକ୍ରବାର ସୋସିଆଲ ମିଡିଆରେ  ବିପଦ ଆସିଥିଲା, ଯାହା ପରେ ପ୍ରୋଟୋକଲ ଅନୁଯାୟୀ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ସତର୍କ କରାଯାଇଥିଲା।

ଅଧିକାରୀମାନେ କହିଛନ୍ତି, ଜାତୀୟ ରାଜଧାନୀରୁ ଲଣ୍ଡନ, ପ୍ୟାରିସ୍‌ ଏବଂ ହଂକଂକୁ ବିମାନରେ ବୋମା ଧମକ ମିଳିଥିଲା, ଯାହା ପରେ ମିଥ୍ୟା ବୋଲି ଜଣାପଡ଼ିଛି।

କମ୍ପାନୀ କହିଛି, ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଆମେ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛୁ। ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ସମସ୍ତ ସତର୍କତା ଅବଲମ୍ବନ କରୁଛୁ। ଅନ୍ୟ ଏକ ବିବୃତ୍ତିରେ ଇଣ୍ଡିଗୋ କହିଛି, ଦିଲ୍ଲୀରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିବା ବିମାନ 6E-11 ସହ ଜଡ଼ିତ ପରିସ୍ଥିତି ବିଷୟରେ ଆମେ ଅବଗତ। ସୋମବାର ଠାରୁ ୭୦ରୁ ଅଧିକ ବିମାନକୁ ବୋମା ଧମକ ଆସିସାରିଲାଣି ବୋଲି ଅଧିକାରୀ କହିଛନ୍ତି।

Share