ନୂଆଦିଲ୍ଲୀ, ୨୯ା୩(ପି.ଟି.): ଉପରାଷ୍ଟ୍ରପତି ଜଗଦୀପ୍ ଧନ୍କର ଏବଂ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ଦେଶର ନ୍ୟାୟପାଳିକା ଏବଂ ବିଚାରପତି ନିଯୁକ୍ତି ଲାଗି ରହିଥିବା କଲେଜିୟମ ବ୍ୟବସ୍ଥା ଉପରେ ଦେଇଥିବା ମନ୍ତବ୍ୟ ବିରୋଧରେ ବମ୍ବେ ଓକିଲ ସଂଘ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ସେମାନେ ଧନ୍କର ଏବଂ ରିଜିଜୁଙ୍କ ବିରୋଧରେ ଦାଏର କରିଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୨୬ ଅନୁଯାୟୀ ଲିଖିତ ଭାବେ ନ୍ୟାୟାଧିକାର କ୍ଷେତ୍ର ଲାଗୁ କରିବାକୁ ଏହା ଉପଯୁକ୍ତ ମାମଲା ନୁହେଁ ବୋଲି ହାଇକୋର୍ଟ କହିଥିଲେ। ଏହାକୁ ଓକିଲ ସଂଘ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଧନ୍କର ଏବଂ ରିଜିଜୁ ସେମାନଙ୍କ ମନ୍ତବ୍ୟରୁ ସମ୍ବିଧାନ ପ୍ରତି ସେମାନଙ୍କର ବିଶ୍ୱାସ ନ ଥିବା ସ୍ପଷ୍ଟ ହେଉଛି ବୋଲି ଓକିଲ ସଂଘ ଅଭିଯୋଗ କରିଛନ୍ତି। ତେଣୁ ଧନ୍କର ଉପରାଷ୍ଟ୍ରପତି ଭାବେ ଏବଂ ରିଜିଜୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ନ ତୁଲାଇବା ପାଇଁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ନିବେଦନ କରାଯାଇଛି।