Categories: ଜାତୀୟ

ଛାଡପତ୍ର ପରେ ସ୍ତ୍ରୀ ଦେବେ ସ୍ବାମୀଙ୍କୁ ଭରଣପୋଷଣ ଅର୍ଥ

ମୁମ୍ବାଇ,୧।୪: ସାଧାରଣତଃ ଛାଡପତ୍ର ପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପଡେ। କିନ୍ତୁ ମହାରାଷ୍ଟ୍ରରେ ଏକ ଭିନ୍ନ ମାମଲା ସାମ୍ନାକୁ ଆସିଛି। ଏଠାରେ ମହିଳା ଜଣକ ତାଙ୍କ ପୂର୍ବ ସ୍ବାମୀଙ୍କୁ ପ୍ରତି ମାସରେ ଭରପୋଷଣ ଅର୍ଥ ଦେବେ। ମହାରାଷ୍ଟ୍ରର ନନ୍ଦେଡର ସ୍ଥାନୀୟ ଅଦାଲତ ଉକ୍ତ ମହିଳାଙ୍କୁ ତାଙ୍କ ପୂର୍ବ ସ୍ବାମୀଙ୍କୁ ମାସକୁ ୩୦୦୦ ଟଙ୍କା ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସେହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ପୂର୍ବତନ ସ୍ବାମୀଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟ ସ୍ତ୍ରୀ ପଢାଉଥିବା ବିଦ୍ୟାଳୟକୁ ପ୍ରତିମାସରେ ମହିଳାଙ୍କ ବେତନରୁ ଟଙ୍କା କାଟି କୋର୍ଟରେ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡାଙ୍ଗ୍‌ରେ ହିନ୍ଦୁ ବିବାହ ଆଇନର ଧାରା ୨୫କୁ ଉଲ୍ଲେଖ କରିଛନ୍ତି। ଏହି ଅଧିନିୟମରେ, ଦରିଦ୍ର ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ଭରଣପୋଷଣ ଯୋଗାଇବାର ବ୍ୟବସ୍ଥା ଅଛି।
ସୂଚନାଯୋଗ୍ୟ, ୧୭ ଏପ୍ରିଲ ୧୯୯୨ରେ ସମ୍ପୃକ୍ତ ସ୍ବାମୀ-ସ୍ତ୍ରୀଙ୍କ ବିବାହ ହୋଇଥିଲା। ବିବାହର କିଛି ବର୍ଷ ପରେ ସ୍ତ୍ରୀ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। ୨୦୧୫ରେ ସ୍ଥାନୀୟ କୋର୍ଟଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ଛାଡପତ୍ର ପରେ ସ୍ବାମୀ ନାନ୍ଦେଡଙ୍କ ନିମ୍ନ ଅଦାଲତରେ ଏକ ପିଟିସନ ଦାଖଲ କରି କହିଥିଲେ, ତାଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ ଏବଂ ସ୍ତ୍ରୀଙ୍କର ଚାକିରି ଅଛି। ସ୍ତ୍ରୀ ମାସକୁ ୪୦ ହଜାର ରୋଜଗାର କରନ୍ତି। ଏହାସହ ସ୍ତ୍ରୀଙ୍କୁ ଶିକ୍ଷିତ କରିବା ପାଇଁ ସେ ଅନେକ କିଛି କାର୍ଯ୍ୟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ସ୍ତ୍ରୀଙ୍କଠାରୁ ମାସକୁ ୧୫,୦୦୦ ଟଙ୍କା ସ୍ଥାୟୀ ଭରଣପୋଷଣ ଦାବି କରିଥିଲେ। ଏହାର ଜବାବରେ ସ୍ତ୍ରୀ କହିଥିଲେ, ତାଙ୍କ ସ୍ବାମୀଙ୍କର ଏକ ଦୋକାନ ଅଛି ଏବଂ ଏକ ଅଟୋ ରିକ୍ସା ମଧ୍ୟ ଅଛି। ତାଙ୍କ ରୋଜଗାର ଉପରେ ସ୍ବାମୀ ନିର୍ଭରଶୀଳ ନୁହଁନ୍ତି କିନ୍ତୁ ଏହି ସଂପର୍କରେ ତାଙ୍କର ଏକ ଝିଅ ମଧ୍ୟ ଅଛି ଯିଏ ମାଆର ରୋଜଗାର ଉପରେ ନିର୍ଭରଶୀଳ। ତେଣୁ ସ୍ବାମୀଙ୍କ ଦ୍ୱାରା କରାଯାଇଥିବା ଭରଣପୋଷଣର ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍‌।

 

Share