Categories: ଜାତୀୟ

କୋର୍ଟରେ ବୋମା ଖଞ୍ଜିଥିଲେ ଡିଆର୍‌ଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୯ା୧୨: ଗତ ୯ ତାରିଖରେ ରୋହିଣୀ ଜିଲା କୋର୍ଟରେ ଏକ ବୋମା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ ଶନିବାର ଜଣେ ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଭାରତ ଭୂଷଣ କଟାରିଆ (୪୯) ବୋଲି ଜଣାପଡ଼ିଛି। ପ୍ରଥମେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ପୋଲିସ ସନ୍ଦେହ କରୁଥିବାବେଳେ ଯାଞ୍ଚ ପରେ ପ୍ରତିରକ୍ଷା ବୈଜ୍ଞାନିକ ଭୂଷଣ ସେଠାରେ ତାଙ୍କ ପଡ଼ୋଶୀ ଓକିଲଙ୍କୁ ହତ୍ୟା ପାଇଁ ବୋମା ଖଞ୍ଜିଥିବା ତଦନ୍ତରୁ ଜଣାପଡ଼ିଥିଲା। ନିମ୍ନ ତୀବ୍ରତାର ଏହି ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ବୈଦ୍ୟୁତିକ ଉପକରଣ ସମେତ ଭୂଷଣଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ସ୍ପେଶାଲ ସେଲ୍‌ର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଅନ୍ୟ କାହାର ଏଥିରେ ସମ୍ପୃକ୍ତି ଅଛି କି ନାହିଁ ସେ ଦିଗରେ ତଦନ୍ତ ଚାଲିଛି।
ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଭୂଷଣ ଏବଂ ଓକିଲ ଅମିତ୍‌ ବଶିଷ୍ଟଙ୍କ ମଧ୍ୟରେ କିଛି ବର୍ଷ ହେଲା ବିବାଦ ଲାଗି ରହିଥିଲା। ଭୂଷଣଙ୍କ ବିରୋଧରେ ଅମିତ ୭ଟି ମାମଲା ଏବଂ ଭୂଷଣ ଅମିତଙ୍କ ନାଁରେ ୫ଟି କେସ୍‌ କରିଥିଲେ। ବୋମା ବିସ୍ଫୋରଣ ପରେ ଅମିତ ତାଙ୍କ ନାଁରେ ଭିଜିଲାନ୍ସରେ ମଧ୍ୟ ଅଭିଯୋଗ କରିଥିଲେ। ଭୂଷଣ କୋର୍ଟର ୧୦୨ ନମ୍ବର ରୁମ୍‌ରେ ବୋମା ରଖିଥିଲେ ବୋଲି ପୋଲିସ କହିଛି। ଓକିଲଙ୍କୁ ମାରିବା ପାଇଁ ସେ ସେଠାରେ ଆଇଡି ଖଞ୍ଜିଥିବା ସ୍ବୀକାର ମଧ୍ୟ କରିଛନ୍ତି। ଦିଲ୍ଲୀ ସ୍ପେଶାଲ ସେଲ୍‌ର ନର୍ଦନ ରେଞ୍ଜ୍‌ ଦୁଇ ଟିମ୍‌ ସହାୟତାରେ ତଦନ୍ତ କରିଥିଲା। ପ୍ରାୟ ୧ ଘଣ୍ଟାର ସିସିଟିଭି ଫୁଟେଜ ଭିଡିଓ ଯାଞ୍ଚ କରାଯାଇଥିଲା। ବୋମା ଥିବା ବ୍ୟାଗ୍‌ରେ ଏକ ଲୋଗୋ ଦେଖି ପୋଲିସ ସେହି ବ୍ୟାଗ୍‌ ବିକ୍ରି କରୁଥିବା କମ୍ପାନୀ ଓ ଦୋକାନୀଙ୍କ ନିକଟକୁ ମଧ୍ୟ ଯାଇଥିଲା। ପରେ ଅନ୍ୟ ତଥ୍ୟକୁ ଆଧାର କରି ପୋଲିସ ଅଭିଯୁକ୍ତ ଭୂଷଣଙ୍କ ନିକଟରେ ପହଞ୍ଚିଥିଲା।

Share