ବ୍ରହ୍ମପୁର,୧୮ା୮(ସୁବାସ ଚନ୍ଦ୍ର ପାଢ଼ୀ): ବଡବଜାର ଥାନା ଅଧୀନ କେନାଲ ସାହିରେ ଗତ ବୁଧବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମାମାଡ଼ ଘଟଣାରେ ପୋଲିସ ଗୋଟିଏ ଗୋଷ୍ଠୀର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗ୍ରାମଦେବତୀ ସାହିର ଅମିତ ନାୟକ ଓରଫ ରାଜା (୨୨) ଓ ସତ୍ୟନାରାୟଣ ଦାସ ଓରଫ ହିରୋ(୨୧)। ଉଭୟ ପେଷାଦାର ଅପରାଧୀ ଅଟନ୍ତି। ଉଭୟଙ୍କ ନାମରେ ଏକାଧିକ ମାମଲା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିଲା ବୋଲି ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବୋମା, ଖଣ୍ଡା ଜବତ କରାଯାଇଛି। ମାମଲା ନମ୍ବର ୩୦୦/୨୩ ରେ ଉଭୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଗୋଷ୍ଠ ସଂଘର୍ଷ ମାମଲାରେ ଉଭୟ ପାଖର ୧୦ରୁ ଊଦ୍ଦର୍ବ ଯୁବକଙ୍କ ସମ୍ପୃକ୍ତି ନେଇ ମାମଲା ରୁଜୁ ହୋଇଛି। ଫେରାର ଥିବା ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।