ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ୨ଜଣ ଅଜଣା ଦୁର୍ବୃତ୍ତ ଏକ ବୁଲେଟରେ ଆସି ଜଣେ ଯୁବକଙ୍କୁ ଲକ୍ଷ୍ୟ କରି ଲଗାତାର ୨ଟି ବାମା ଫିଙ୍ଗି ଥିଲେ। ଯୁବକ ଜଣକ ଦୌଡ଼ି ପଳାଇବାରୁ ତାଙ୍କର କୌଣସି କ୍ଷତି ହୋଇନାହିଁ। କିନ୍ତୁ ରାସ୍ତାକଡରେ ଥିବା ଦିଗପହଣ୍ଡି ବଡ଼ବ୍ରାହ୍ମଣ ସାହିର ହିମାଂଶୁ ମହାରଣାଙ୍କ ଥର୍‌ ଜିପ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ବୋମା ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମା ଟୁକୁରା, ବୋମାରେ ବ୍ୟବହୃତ ଲୁହା କଣ୍ଟା, ଲୁହା ବଲ୍ସ, ଗୋଡ଼ି ଆଦି ଜବତ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା ଜିମ୍‌ରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଝଗଡା ହୋଇଥିଲା। କିନ୍ତୁ କେଉଁମାନେ ବୋମା ମାଡ଼ କରିଛନ୍ତି ଓ କାହିଁକି କରିଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।

ଅପରପକ୍ଷେ ସାରେ ଦିଗପହଣ୍ଡି-ପଦ୍ମନାଭପୁର ମୁଖ୍ୟରାସ୍ତାରେ ଜଣେ ବାଇକ୍‌ ଆରୋହୀଙ୍କୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ବୋମା ମାଡ଼ କରିଥିଲେ। ପରେ ସେମାନେ ଉକ୍ତ ବାଇକ୍‌ ଆରୋହୀଙ୍କୁ ପିଛା କରି ବୁଲେଟରେ ଆସି ଜିମ୍‌ ସମ୍ମୁଖରେ ବୋମା ମାଡ଼ କରି ଚମ୍ପଟ୍‌ ମାରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ଟାର୍ଗେଟରେ ଥିବା ଯୁବକଙ୍କୁ ପୋଲିସ ପଚରାଉଚୁରା କରୁଛି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ପୋଲିସ ତାଙ୍କ ନାଁ ପ୍ରକାଶ କରିବାକୁ ମନା କରିଦେଇଛି।

Share