Advertisement

ଜଙ୍ଗଲରେ ବିଛା ଯାଇଥିଲା ବୋମା: ଚିହ୍ନଟ ପରେ କରାଗଲା ନିଷ୍କ୍ରିୟ

ଦେବଗଡ଼,୯।୧୨(ଡି.ଏନ୍‌.ଏ.): ଜଙ୍ଗଲରେ ବିଛା ଯାଇଥିଲା ବୋମା। ଗୁରୁବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀମାନେ ବୋମା ଖଞ୍ଜା ଯାଇଥିବା ଦେଖିବାକୁ ପାଇଥିଲେ। ସେମାନେ ସତର୍କତା ଅବଲମ୍ବନ କରି ସେଠାରୁ ଫେରି ଆସିଥିବା ଯୋଗୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ସେଠାରେ ୩ଟି ଅଫୁଟା ବୋମାକୁ ବନବିଭାଗ ଚିହ୍ନଟ କରିବା ପରେ ପୋଲିସକୁ ଖବର ଦେଇଥିଲେ। ଶେଷରେ ବନବିଭାଗ ଏବଂ ପୋଲିସର ମିଳିତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡ଼ିକୁ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି। ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବୋମା ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ଦେବଗଡ଼ ଥାନା ସୁଗୁଡା ଗ୍ରାମ ନିକଟସ୍ଥ ରମ୍ଭାଦେବୀ ସଂରକ୍ଷିତ ଜଙ୍ଗଲରେ ୩ଟି ବୋମାକୁ ଚିହ୍ନଟ କରିଥିଲେ । ପରେ ଏନେଇ ଦେବଗଡ଼ ଥାନା ପୋଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ବନବିଭାଗର ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛନ୍ତି । ଜଙ୍ଗଲରେ ବୋମା ଖଞ୍ଜିବା ପଛରେ କାହାର ହାତ ଅଛି କିଛି ଜଣା ପଡିନାହିଁ । ତେବେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share